କନକ ବ୍ୟୁରୋ : ରନ୍ ମେସିନ୍ ଭାବେ ପରିଗଣିତ ବିରାଟ କୋହଲି ବୁଧବାର ସ୍ଥାନୀୟ ସେଡନ୍ ପାର୍କରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଅବସରରେ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି । କୋହଲି (୫୧ ରନ୍) ତାଙ୍କ ଅର୍ଧଶତକୀୟ ପାଳି ଅବସରରେ ଏହି ଫର୍ମାଟ୍ରେ ସବୁଠୁ ଅଧିକ ରନ୍ କରିଥିବା ଭାରତୀୟ ଅଧିନାୟକଙ୍କ ତାଲିକାରେ ସୌରଭ ଗାଙ୍ଗୁଲିଙ୍କୁ ଟପି ଯାଇଛନ୍ତି । ୩୧ ବର୍ଷ ବୟସ୍କ କୋହଲି ଅଧିନାୟକ ଭାବେ ମୋଟ ୫୧୨୩ ରନ୍ କରିଥିଲା ବେଳେ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ଗାଙ୍ଗୁଲି ୧୪୮ ମ୍ୟାଚ୍ରୁ ୫୦୮୨ ରନ୍ କରିଥିଲେ । ତେବେ ଗାଙ୍ଗୁଲିଙ୍କୁ ଟପିବା ପାଇଁ କୋହଲି ମାତ୍ର ୮୭ ମ୍ୟାଚ୍ ଖେଳିଛନ୍ତି । ଏଥିମଧ୍ୟରେ କୋହଲିଙ୍କର ୨୧ ଶତକ ଓ ୨୩ ଅର୍ଧଶତକ ସାମିଲ ଥିଲା ବେଳେ ତାଙ୍କ ହାରାହାରି ୭୬.୪୬ ରହିଛି । ଅନ୍ୟତମ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଭାବେ ଏହି ତାଲିକାର ଶୀର୍ଷରେ ରହିଛନ୍ତି । ଧୋନି ଅଧିନାୟକ ଭାବେ ୬୬୪୧ ରନ୍ କରିଥିଲା ବେଳେ ମହମ୍ମଦ ଆଝାରୁଦ୍ଦିନ୍ ୫୨୩୯ ରନ୍ ସହ ଦ୍ବିତୀୟରେ ଅଛନ୍ତି ।
ମୋଟାମୋଟି ଭାବେ ଜଣେ ଅଧିନାୟକ ଭାବେ ଦିନିକିଆରେ ସର୍ବାଧିକ ରନ୍ ସ୍କୋର୍ କରିଥିବାର ବିଶ୍ବ କୀର୍ତ୍ତିମାନ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ନାମରେ ରହିଛି । ପଣ୍ଟିଂ ୨୩୦ ଦିନିକିଆରେ ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିଲା ବେଳେ ୮୪୯୭ ରନ୍ କରିଛନ୍ତି । ତାଙ୍କ ପଛକୁ ଧୋନି, ନ୍ୟୁଜିଲାଣ୍ଡର ଷ୍ଟିଫେନ୍ ଫ୍ଲେମିଂ (୬୨୯୫ ରନ୍, ୨୧୮ ମ୍ୟାଚ୍) ଓ ଶ୍ରୀଲଙ୍କାର ଅର୍ଜୁନ ରଣତୁଙ୍ଗା (୫୬୦୮ ରନ୍, ୧୯୩ ମ୍ୟାଚ୍) ରହିଛନ୍ତି ।