ବିରାଟ କୋହଲିଙ୍କ ବିରାଟ ରେକର୍ଡ । ଟି-୨୦ରେ ଅଧିନାୟକ ଭାବେ ଦ୍ରୁତତମ ଏକ ହଜାର ରନ କଲେ ପୁରଣ, ସର୍ବାଧିକ ରନ ସଂଗ୍ରହକାରୀ ତାଲିକାରେ ହେଲେ ପ୍ରଥମ ।

337

କନକ ବ୍ୟୁରୋ : ଟ୍ୱେଂଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଦ୍ରୁତତମ ହଜାରେ ରନ ପୂରଣ କରିଛନ୍ତି ଅଧିନାୟକ ବିରାଟ କୋହଲି । ଅଧିନାୟକ ଭାବେ ୩୦ତମ ଟି-୨୦ ପାଳିରୁ ଏକ ହଜାର ରନ ପୂରଣ କରି ତାଲିକାର ଶୀର୍ଷରେ ପହଂଚିଛନ୍ତି ବିରାଟ । ଗତକାଲି ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ କୋହଲି ବିସ୍ଫୋରକ ବ୍ୟାଟିଂ କରି ୧୭ ବଲରୁ ଅପରାଜିତ ୩୦ ରନ ସଂଗ୍ରହ କରିଥିଲେ । ଏହାଛଡା ବିଶ୍ୱର ସର୍ବାଧିକ ଟି-୨୦ ରନ ସ୍କୋରର ତାଲିକାରେ ପ୍ରଥମ ହୋଇ ନୂଆ ରେକର୍ଡ ହାସଲ କରିଛନ୍ତି । ଏପରି ବିଶ୍ୱର ବହୁ ନାମୀ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି ବିରାଟ କୋହଲି ।

ବିସ୍ଫୋରକ ବ୍ୟାଟିଂ କରି ରେକର୍ଡ ରଚିଲେ ବିରାଟ କୋହଲି । ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଂଟି ମ୍ୟାଚରେ ଦୁଇଟି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ । ୧୭ ବଳରୁ ଦ୍ରୁତତମ ୩୦ ରନ ସଂଗ୍ରହ କରି ସେ ବିଶ୍ୱର ନାମକରା ବ୍ୟାଟ୍ସମ୍ୟାନମାନଙ୍କ ରେକର୍ଡକୁ ଧ୍ୱସ୍ତ କରିଦେଇଛନ୍ତି । ମଙ୍ଗଳବାର ମ୍ୟାଚରେ ୩୦ରନ ସଂଗ୍ରହ କରି ବିରାଟ କୋହଲି ବନିଛନ୍ତି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚର ସବୁଠୁ ଦ୍ରୁତ ଏକ ହଜାର ରନ ପୂରଣ କରିଥିବା ଅଧିନାୟକ । ଦ୍ରୁତତମ ହଜାରେ ରନ ପୂରଣ କରି ବିରାଟ କୋହଲି ମହେନ୍ଦ୍ର ସିଂ ଧୋନି, ଇଅନ ମୋର୍ଗାନ, କେନ ୱିଲିୟମସନ୍ ଓ ଫାଫ୍ ଡୁପ୍ଲେସିସ ଭଳି ଅଧିନାୟକଙ୍କୁ ପଛରେ ପକାଇଦେଇଛନ୍ତି । ବିଶ୍ୱର ପ୍ରଥମ ଅଧିନାୟକ ଭାବେ ଟି-୨୦ ଅନ୍ତର୍ଜାତୀୟରେ ୩୦ ପାଳିରୁ ଏକ ହଜାର ରନ୍ ପୂରା କରିଛନ୍ତି କ୍ୟାପଟେନ୍ କୋହଲି ।

ମୋଟ ୩୦ଟି ଟି-୨୦ ପାଳିରୁ ଦ୍ରୁତତମ ହଜାରେ ରନ ପୂରଣ କରି ତାଲିକାର ଶୀର୍ଷରେ ପହଂଚିଛନ୍ତି ଅଧିନାୟକ ବିରାଟ କୋହଲି । ତାଙ୍କ ପଛକୁ ଅଛନ୍ତି ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାଫ୍ ଡୁପ୍ଲେସିସ୍, ସେ ଦ୍ରୁତତମ ଏକ ହଜାର ରନ୍ ପୂରଣର କମାଲ କରିଥିଲେ ମାତ୍ର ୩୧ ପାଳିରୁ । ତୃତୀୟରେ ଅଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ୍, ସେ ୩୬ଟି ପାଳି ଖେଳି ଦ୍ରୁତତମ ହଜାର ରନ ପୂରଣ କରିଥିଲେ । ତାଲିକାର ଚତୁର୍ଥ ସ୍ଥାନରେ ଇଂଲଣ୍ଡ ଇଅନ ମୋର୍ଗାନ, ସେ ୪୨ ପାଳି ଖେଳି ଏହି ରେକର୍ଡର ଅଧିକାରୀ ହୋଇପାରିଥିଲେ । ପଂଚମରେ ଥିବା ଆୟର୍ଲାଣ୍ଡର ୱିଲିୟମ ପୋର୍ଟର ୫୪ ପାଳିରୁ ଏହି ରେକର୍ଡ କରିଥିଲେ । ସେହିପରି ୫୭ ପାଳିରୁ ଏକ ହଜାର ରନ ପୂରଣ କରି ତାଲିକାର ଷଷ୍ଠତମ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ।

ଅଧିନାୟକ ଭାବେ ବିରାଟ କୋହଲି ବିଶ୍ୱର ଷଷ୍ଠ ଓ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ । କୋହଲି ପୂର୍ବରୁ ଏହି କାରନାମା କରିଦେଖାଇଥିଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଅଧିନାୟକ ଭାବେ ଧୋନି ୭୨ ମ୍ୟାଚରୁ ୧ ହଜାର ୧୧୨ ରନ କରିଛନ୍ତି । କିନ୍ତୁ କୋହଲି ୩୦ ମ୍ୟାଚରୁ ୧୦୦୬ ରନ ପୂରଣ କରିଛନ୍ତି ।

ତେବେ ଅଧିନାୟକ ଭାବେ ଟି-୨୦ରେ ଅଧିକ ରନ୍ ସଂଗ୍ରହ କରିଥିବା ଅଧିନାୟକ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଫ୍ଲାଫ ଡୁପ୍ଲେସିସ୍, ସେ ୧୨୭୩ ରନ ସହ ତାଲିକାର ଶୀର୍ଷରେ ଅଛନ୍ତି । ଟ୍ୱେଂଟି-ଟ୍ୱେଂଟିରେ ସର୍ବାଧିକ ରନ ସଂଗ୍ରହକାରୀ ଅଧିନାୟକ ତାଲିକାର ଦ୍ୱିତୀୟରେ ୧ ହଜାର ୧୧୨ ରନ ସହ ଦ୍ୱିତୀୟରେ ଅଛନ୍ତି ଭାରତର ମହେନ୍ଦ୍ର ସିଂ ଧୋନି । ନ୍ୟୁଜିଲାଣ୍ଡର କେନ ୱିଲିୟମସନ ୧୦୮୩ ରନ ସଂଗ୍ରହ କରି ତାଲିକାର ତୃତୀୟରେ ଅଛନ୍ତି । ୧୦୧୩ ରନ ସହ ଚତୁର୍ଥରେ ଇଂଲଣ୍ଡର ଇଅନ ମୋର୍ଗାନ ଓ ୧୦୦୬ ରନ୍ ସହ ତାଲିକାର ପଂଚମରେ ଅଛନ୍ତି ଅଧିନାୟକ ବିରାଟ କୋହଲି । ସେହିପରି ଆର୍ୟଲାଣ୍ଡର ୱିଲିୟମ ପୋର୍ଟର ଫିଲ୍ଡ ୧୦୦୨ ରନ କରି ତାଲିକାର ଷଷ୍ଠତମ ସ୍ଥାନରେ ରହିଛନ୍ତି ।

ମଙ୍ଗଳବାର ଇନ୍ଦୋରରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୧୭ ବଲର ବିସ୍ଫୋରକ ବ୍ୟାଟିଂ ବଳରେ ଅପରାଜିତ ୩୦ ରନ ସଂଗ୍ରହ କରିଥିବା କୋହଲି ଟି-୨୦ରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ପାଲଟିଯାଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମଙ୍ଗଳବାର କୋହଲି ଗୋଟିଏ ରନ କରିବା ମାତ୍ରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି । ବିରାଟ ଏବେ ୭୭ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରୁ ୨୬୬୩ ରନ କରି ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଶୀର୍ଷରେ ପହଂଚିଛନ୍ତି । ସେହିପରି ରୋହିତ ଶର୍ମା ୧୦୪ ମ୍ୟାଚରୁ ୨୬୩୩ ରନ କରି ଦ୍ୱିତୀୟରେ ଅଛନ୍ତି ।