‘ଆଇପିଏଲ ମଝିରୁ ହିଁ ବାଙ୍ଗାଲୋର ଅଧିନାୟକ ପଦ ହରାଇପାରନ୍ତି କୋହଲି’ । କାହିଁକି ଏଭଳି ଆଶଙ୍କା କଲେ ପୂର୍ବତନ କ୍ରିକେଟର ।

152

କନକ ବ୍ୟୁରୋ : କୋଲାକାତା ବିପକ୍ଷରେ ବାଙ୍ଗାଲୋରର ନିରାଶଜନକ ପ୍ରଦର୍ଶନ ପରେ କ୍ୟାପଟେନ କୋହଲିଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ସିଜିନରୁ ଆରସିବିର ଅଧିନାୟକ ପଦରୁ ହଟିବାକୁ ବିରାଟ ନିଷ୍ପତ୍ତି ନେଇଥିଲେ ମଧ୍ୟ କିଛି କ୍ରିକେଟପ୍ରେମୀ ଚଳିତ ଆଇପିଏଲରେ ଆରସିବି ଅଧିନାୟକ ଛାଡିଦେବା ଉଚିତ୍ ବୋଲି କହୁଛନ୍ତି । ଏପରିକି ଆଇପିଏଲ ଅଧାରୁ ଏଭଳି ଦେଖିବାକୁ ମଧ୍ୟ ମିଳିପାରେ ବୋଲି କିଛି ପୂର୍ବତନ ଖେଳାଳୀ କହିଛନ୍ତି । କୋଲକାତା ବିପକ୍ଷରେ ମାତ୍ର ୯୨ ରନରେ ଅଲଆଉଟ ହେବା ସହ ଅପମାନସୂଚକ ପରାଜୟ କୋହଲିଙ୍କ ଅଧିନାୟକତ୍ୱ ଉପରେ ଅନେକ ପ୍ରଶ୍ନବାଚୀ ଛିଡା କରିଛି ।

ଏହି ମ୍ୟାଚରେ କୋହଲିଙ୍କ ଠାରୁ ସେଭଳି ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ଏପରିକି ପଡିଆ ଭିତରେ ସେଭଳି ଜୋସ ମଧ୍ୟ ଦେଖିବାକୁ ମିଳିନଥିଲା । ଆରସିବିର ଅଧିନାୟକ ପଦ ଛାଡିବା ନିଷ୍ପତ୍ତି ପରେ କୋହଲିଙ୍କ ଠାରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି ବୋଲି କୁହାଯାଉଛି । ଏପରିକି କୋହଲିଙ୍କ ଏଭଳି ଠାଣିକୁ ପୂର୍ବତନ କ୍ରିକେଟର ତର୍ଜମା ମଧ୍ୟ କରିଛନ୍ତି । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି, ଯଦି କୋହଲିଙ୍କୁ ଏଭଳି କରିବାର ଥିଲା ତେବେ ଆଇପିଏଲ ପରେ ମଧ୍ୟ କରିପାରିଥାନ୍ତେ ।

ଅନ୍ୟ କିଛି ପୂର୍ବତନ କ୍ରିକେଟର କହିଛନ୍ତି, କୋହଲିଙ୍କ ଏଭଳି ଘୋଷଣା ଦଳକୁ କିଛି ମାତ୍ରାରେ ପ୍ରଭାବିତ କରିଛି । ଏପରିକି କୋହଲିଙ୍କୁ ଆଇପିଏଲ ଅଧାରୁ ଆରସିବିର ଅଧିନାୟକ ପଦରୁ ମଧ୍ୟ ହଟିବାକୁ ପଡିପାରେ । କୋଲକାତା ବିପକ୍ଷଷର କୋହଲି ଯେଉଁଭଳି ଖେଳୁଥିଲେ ଲାଗୁଥିଲା ସତେ ଯେପରି ସେ ସଂଘର୍ଷ କରୁଛନ୍ତି । ଆଉ ଏଭଳି ଜାରି ରହିଲେ ସିଜିନ ମଝିରୁ ହିଁ କୋହଲିଙ୍କୁ କ୍ୟାପଟେନ ପଦ ଛାଡିବାକୁ ପଡିପାରେ । ଏଭଳି ଘଟଣା ଆଇପିଏଲରେ ନୂଆ ନୁହେଁ । କାରଣ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ଟିମରେ ମଧ୍ୟ ଏଭଳି ଦେଖିବାକୁ ମିଳିଛି । ଯେତେବେଳେ ସିଜିନ ମଝିରୁ ହିଁ ଦଳ ଅଧିନାୟକ ପରିବର୍ତ୍ତନ କରିଛନ୍ତି । ତେଣୁ ଆଉ ଗୋଟିଏ ଖରାପ ମ୍ୟାଚ୍ ବିରାଟଙ୍କ ଅଧିନାୟକ ପଦ ଛଡାଇ ନେଇପାରେ ବୋଲି ନିଜ ନାଁ ପ୍ରକାଶ ନ କରି କହିଛନ୍ତି ଜଣେ ପୂର୍ବତନ ଭାରତୀୟ କ୍ରିକେଟର ।

ଯଦି ବିରାଟଙ୍କୁ ଅଧିନାୟକ ପଦରୁ ହଟାଯିବ ତେବେ ଡିଭିଲିୟର୍ସ ଆରସିବିର ନୂଆ ଅଧିନାୟକ ହୋଇପାରନ୍ତି । କାରଣ ଟିମର ପୁରୁଣା ଖେଳାଳୀ ହେବା ସହ ଟ-୨୦ରେ ଯଥେଷ୍ଟ ଅଭିଜ୍ଞତା ମଧ୍ୟ ରହିଛି । ଏହାବାଦ୍ ଦେବୀଦତ୍ତ ପାଡିକଲ ମଧ୍ୟ ବାଙ୍ଗାଲୋର ଟିମର ମଙ୍ଗ ଧରିପାରନ୍ତି । ଗତ ୨ଟି ସିଜିନରେ ବାଙ୍ଗାଲୋର ପାଇଁ ସର୍ବାଧିକ ସ୍କୋର କରିଥିବା ଦେବୀଦତ୍ତ ଅଧିନାୟକ ପଦ ପାଇଁ ପ୍ରଥମ ପସନ୍ଦ ପାଲଟିପାରନ୍ତି ।