ହାପି ବାର୍ଥ ଡେ’ ରନ ମେସିନ : ୩୨ ବର୍ଷରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି

259

କନକ ବ୍ୟୁରୋ : ପଡିଆରେ କଥା କୁହେ ତାଙ୍କ ବ୍ୟାଟ । ତାଙ୍କ ପାଇଁ କୈଣସି ପରିଚୟର ଆବଶ୍ୟକତା ନାହିଁ । ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ । ସେ ଆଉ କେହି ନୁହେଁ ସେ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ଭାରତୀୟ ଟିମ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଆଜି ଏହି ମହାନ କ୍ରିକେଟରଙ୍କ ଜନ୍ମଦିନ । ଆଜି ବିରାଟଙ୍କୁୁ ୩୨ ବର୍ଷ ହୋଇଛି ।

ଆସନ୍ତୁ ଜାଣିବା ବିରାଟଙ୍କ ଯାତ୍ରା, ଆଉ ମନେ ପକାଇବା ତାଙ୍କ ବଡ ବଡ ରେକର୍ଡକୁ
୫ ନଭେମ୍ବର ୧୯୮୮ ମସିହା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ । ତାଙ୍କ ବାପା ପ୍ରେମ କୋହଲି ହେଉଛନ୍ତି ଜଣେ କ୍ରିମିନାଲ ଲୟର ଓ ମାଙ୍କ ନାଁ ସରୋଜ କୋହଲି । ପରିବାର ଲୋକଙ୍କ କହିବାଅନୁଯାୟୀ ବିରାଟ ପିଲା ବେଳୁ କ୍ରିକେଟ ପ୍ରତି ଆକର୍ଷିତ ଥିଲେ । ୧୯୯୮ ମସିହାରେ ସ୍କୁଲରେ ପାଠ ପଢୁଥିବା ବେଳେ ୱେଷ୍ଟ ଦିଲ୍ଲୀ କ୍ରିକେଟ ଏକାଡେମୀରେ ବିରାଟ ଯୋଗ ଦେଇଥିଲେ ।

ପରେ ସେ ଆରମ୍ଭ କରିଥିଲେ ତାଙ୍କ କ୍ରିକେଟ କ୍ୟାରିୟର । ୨୦୦୨ ମସିହାରେ ଦିଲ୍ଲୀ ପକ୍ଷରୁ ୧୫ ବର୍ଷରୁ କମ କ୍ରିକେଟ ଟିମରେ ଖେଳିଥିଲେ । ପରେ ୨୦୦୬ରେ ବିରାଟ ୧୯ ବର୍ଷରୁ କମ ଭାରତୀୟ ଦଳରେ ସାମିଲ ହୋଇଥିଲେ । ୨୦୦୮ରେ ୧୯ ବର୍ଷରୁ କମ ବିଶ୍ୱକପ ବିଜେତା ହୋଇଥିଲା ଭାରତ । ଏହି ଟିମର ଅଧିନାୟକ ଥିଲେ ବିରାଟ କୋହଲି । ପରେ ସେହି ବର୍ଷ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ସେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ ।

୨୦୦୮ରୁ ଆଜି ପର୍ଯ୍ୟନ୍ତ ବିରାଟ ଅନେକ ସଫଳତା ହାସଲ କରିଛନ୍ତି । ତାଙ୍କ ନାଁରେ ଅନେକ ରେକର୍ଡ ସାମିଲ ହୋଇଥିବା ବେଳେ ବଡ ବଡ କ୍ରିକେଟରଙ୍କ ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି ।

ଆସନ୍ତୁ ନଜର ପକାଇବା ବିରାଟଙ୍କ ରେକର୍ଡ ଉପରେ –
ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ।
ଅନ୍ତର୍ଜାତୀୟ ୱାନଡେ କ୍ରିକେଟରେ ଦ୍ରୁତତମ ୮ ହଜାର, ୯ ହଜାର , ୧୦ ହଜାର ଓ ୧୧ ହଜାର ରନ ପୂରଣ କରିବାରେ କୋହଲି ସାରା ବିଶ୍ୱରେ ପ୍ରଥମ ।
ଦିନିକିଆ କ୍ରିକେଟରେ ଲଗାତାର ୩ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ହେଉଛନ୍ତି ବିରାଟ ।
ବିରାଟ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ୭ ଥର ଦ୍ୱିଶତକ ହାସଲ କରିଛନ୍ତି । ଏଥିରେ ସେ ସଚିନ ଓ ସେହୱାଗଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଏଭଳି ଅନେକ ରେକର୍ଡର ମାଇଲ ଖୁଣ୍ଟ ଛିଡା କରିଛନ୍ତି ଏହି ଭାରତୀୟ କ୍ରିକେଟର । ବର୍ତ୍ତମାନ ବିରାଟ ଦିନିକିଆ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ତାଲିକାର ଶୀର୍ଷରେ ରହିଛନ୍ତି ।