ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଧୋନୀ, ସଚିନଙ୍କୁ ଟପିଲେ କୋହଲି । ଜାଣନ୍ତୁ, କେଉଁ ମାଇଲଖୁଣ୍ଟ ଛୁଇଁଲେ ଭାରତୀୟ ଅଧିନାୟକ ।

193

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଚାଲିଥିବା ଚୁତର୍ଥ ଟେଷ୍ଟରେ ଆଜି ପୁଣି ଦୁଇଟି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ଏହି କ୍ରମରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଟପିଥିବାବେଳେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ୧ ରନ୍ କରିବା ସହିତ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୨୩ ହଜାର ରନ୍ ପୂରଣ କରିଛନ୍ତି । ଏହାସହିତ ସେ ଦ୍ରୁତତମ କ୍ରିକେଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୩ ହଜାର ରନ୍ ପୂରଣ କରିଛନ୍ତି । ସେ ମୋଟ ୪୪୦ ମ୍ୟାଚ ଏବଂ ୪୯୦ ଇଂନିସରୁ ଏହି ସଫଳତା ହାସଲ କରିଛନ୍ତି । ଯାହା ମଧ୍ୟରେ ୭୦ଟି ଶତକ ସାମିଲ ଥିବାବେଳେ ୧୧୬ଟି ଅର୍ଦ୍ଧଶତକ ରହିଛି ।

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା । ସେ ମୋଟ ୫୨୨ଟି ଇଂନିସରେ ଏହି ସଫଳତା ହାତେଇଥିଲେ । ହେଲେ କୋହଲି ତାଙ୍କ ରେକର୍ଡ ଭାଙ୍ଗିବା ସହିତ ୪୯୦ ଇଂନିସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ଅନ୍ୟପଟେ ଆଜି ଟସ୍ ପାଇଁ ପଡିଆକୁ ଓହ୍ଲାଇବା ସହିତ କୋହଲି, ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଏକ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ସେ ଆଜି ଅଧିନାୟକ ଭାବେ ଇଂଲଣ୍ଡରେ ୧୦ଟି ଟେଷ୍ଟ ଖେଳିଛନ୍ତି । ଯାହାକି କୌଣସି ଭାରତୀୟ ଅଧିନାୟକ ଭାବେ ଏକ ରେକର୍ଡ । ତାଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ ଇଂଲଣ୍ଡରେ ୯ଟି ଟେଷ୍ଟ ମ୍ୟାଚରେ କ୍ୟାପଟେନ୍ ରହିଥିଲେ ।