ଲାରାଙ୍କୁ ପଛରେ ପକାଇଲେ କୋହଲି ! ବିରାଟଙ୍କ ନାଁରେ ଯୋଡିହେଲା ବିଶ୍ୱ ରେକର୍ଡର ମାନ୍ୟତା ।

33

ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜକୁ ହାତଛଡା କରିଛି ଟିମ୍ ଇଣ୍ଡିଆ । ରବିବାର ଇଂଲଣ୍ଡ ଠାରୁ ଦଳ ୬୦ ରନରେ ଚତୁର୍ଥ ଟେଷ୍ଟ ହାରିଯାଇଛି ସତ କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଦିନଟି ସ୍ମରଣୀୟ ହୋଇ ରହିବ । ଏହି ମ୍ୟାଚରେ ବିରାଟ ଅନେକ ଉପଲବ୍ଧି ହାସଲ କରିଛନ୍ତି । ବିରାଟ ଟେଷ୍ଟରେ ୬୦୦୦ ରନ୍ ପୁରା କରିଛନ୍ତି । ଇଂଲଣ୍ଡରେ ଏକ ଟେଷ୍ଟ ସିରିଜରେ ସବୁଠାରୁ ଅଧିକ ରନ କରିଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇଛନ୍ତି ବିରାଟ କୋହଲି । ଏହା ଛଡା ଟେଷ୍ଟ ମ୍ୟାଚ ଅଧିନାୟକ ଭାବେ ସବୁଠାରୁ ଦ୍ରୁତ ୪୦୦୦ ରନ୍ ପୁରଣ କରିବାରେ ବ୍ରାୟନ ଲାରାଙ୍କ ବିଶ୍ୱ କିର୍ତ୍ତିମାନକୁ ମଧ୍ୟ କୋହଲି ଭଙ୍ଗ କରିଛନ୍ତି ।

ବିରାଟ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇଂନିସରେ ୫୮ ରନ କରିଥିଲେ ଏବଂ ଏହା ସହ ଅଧିନାୟକ ଭାବେ ତାଙ୍କର ୪୦୦୦ ରନ ମଧ୍ୟ ପୂରଣ ହୋଇଥିଲା । ଅଧିନାୟକ ଭାବରେ ଏହା ତାଙ୍କର ୩୯ତମ ଟେଷ୍ଟ ମ୍ୟାଚ୍ ଥିଲା । ତେବେ ବିରାଟ କୋହଲି ମୋଟ୍ ୬୫ଟି ପାଳିରେ ୬୨.୭୭ ହାରରେ ୪୦୦୦ ରନ୍ ପୂରଣ କରିଛନ୍ତି, ଯେଉଁଥିରେ ୧୬ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ସାମିଲ ରହିଛି । ତେବେ ସବୁଠାରୁ ବଡ କଥା ହେଉଛି, ସେ ଶେଷ ୧୦୦୦ ରନ ମାତ୍ର ୧୫ଟି ପାଳିରେ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଲାରାଙ୍କ ନାମରେ ରହିଥିଲା । ଲାରା ଅଧିନାୟକ ଭାବେ ୭୧ଟି ପାଳିରେ ୪୦୦୦ ଟେଷ୍ଟ ରନ ପୂରଣ କରିଥିଲେ ।