କନକ ବ୍ୟୁରୋ : କୋହଲି ନିଜର ଦମଦାର ବ୍ୟାଟିଂ ପାଇଁ ଜଣାଶୁଣା । କିନ୍ତୁ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲିଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା । ଦୀର୍ଘ ୬ ବର୍ଷ ପରେ କୋହଲିଙ୍କୁ ବୋଲିଂ କରୁଥିବାର ଦେଖିବାକୁ ପାଇଥିଲେ କ୍ରିକେଟପ୍ରେମୀ । କୋହଲିଙ୍କୁ ବୋଲର ରୂପେ ଦେଖି ଝୁମି ଉଠିଥିଲା ପୂରା ଷ୍ଟାଡିୟମ । କୋହଲି କୋହଲି ନାରାରେ ପ୍ରକମ୍ପିତ ହୋଇଥିଲା ପୁଣେର ମୈଦାନ । ତେବେ କୋହଲିଙ୍କୁ ହଠାତ୍ କାହିଁକି ବୋଲିଂ କରାଇଥିଲେ ଅଧିନାୟକ ରୋହିତ ଶର୍ମା । ତେବେ ଏ ପ୍ରଶ୍ନର ଉତ୍ତର ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

Advertisment

ଟସ୍ ହାରି ପ୍ରଥମେ ବୋଲିଂ କରୁଥିବା ଭାରତ ପକ୍ଷରୁ ୯ମ ଓଭର ନେଇ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମ ବଲରେ କୌଣସି ରନ୍ ହୋଇନଥିବା ବେଳେ ପରବର୍ତ୍ତୀ ୨ଟି ବଲରେ ଚୌକା ଖାଇଥିଲେ ପାଣ୍ଡ୍ୟା । ତେବେ ଗୋଡରେ ଚୌକା ଅଟକାଇବାକୁ ଯାଇ ପଡିଆରେ ଆହତ ହୋଇଥିଲେ ହାର୍ଦ୍ଦିକ । ଫଳରେ ଅବଶିଷ୍ଟ ବଲ୍ ପକାଇବାକୁ ଅସମର୍ଥ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତେଣୁ ହାର୍ଦ୍ଦିକଙ୍କ ଓଭରକୁ ପୂରା କରିବାକୁ କୋହଲି ଧରିଥିଲେ ବଲ । ବିରାଟ ବଲ୍ ଧରିବା କ୍ଷଣି ପୂରା ଷ୍ଟାଡିୟମ କୋହଲି କୋହଲି ନାରାରେ ପ୍ରକମ୍ପିତ ହୋଇଥିଲା । କାରଣ ଦୀର୍ଘ ୬ ବର୍ଷ ପରେ ପୁଣିଥରେ କୋହଲିଙ୍କୁ ବୋଲିଂ କରୁଥିବାର ଦେଖୁଥିଲେ କ୍ରିକେଟପ୍ରେମୀ ଏବଂ ତାହା ବି ପୁଣି ବିଶ୍ୱକପରେ । କୋହଲି ଅବଶିଷ୍ଟ ୩ଟି ବଲରେ ୨ ରନ ଦେଇ ଓଭର ସମାପ୍ତ କରିଥିଲେ ।

ଏହାପୂର୍ବରୁ ଶେଷଥର ପାଇଁ କୋହଲି ୨୦୧୭ରେ ବୋଲିଂ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ୨ ଓଭର ବୋଲିଂ କରି ୧୨ ରନ ବ୍ୟୟ କରିଥିଲେ କୋହଲି । ସେହିଭଳି ବିଶ୍ୱକପରେ ଶେଷଥର ପାଇଁ ୨୦୧୫ରେ ବୋଲିଂ କରିଥିଲେ କୋହଲି । ୨୦୧୯ ବିଶ୍ୱକପକୁ ଛାଡିଦେଲେ ୨୦୧୧, ୨୦୧୫, ୨୦୨୩ ବିଶ୍ୱକପରେ କୋହଲିଙ୍କୁ ବୋଲିଂ କରୁଥିବାର ଦେଖିବାକୁ ପାଇଛନ୍ତି କ୍ରିକେଟପ୍ରେମୀ । ୨୦୧୧ ବିଶ୍ୱକପ ଫାଇନାଲ ମୁକାବିଲାରେ ମଧ୍ୟ କୋହଲିଙ୍କୁ ବୋଲିଂ କରିଥିବାର ଦେଖିବାକୁ ମିଳିଛି । କୋହଲିଙ୍କ ବୋଲିଂ ରେକର୍ଡ ଦେଖିଲେ ଦିନିକିଆରେ ଏଯାବତ୍ କୋହଲି ୪ଟି ୱିକେଟ ହାସଲ କରିଛନ୍ତି । ଶେଷଥର ପାଇଁ ୯ ବର୍ଷ ପୂର୍ବେ ଦିନିକିଆରେ ୱିକେଟ ହାସଲ କରିଥିଲେ କୋହଲି । ୨୦୧୪ରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ପ୍ୟାଭିଲିୟନ ପଠାଇଥିଲେ କୋହଲି ।

କୋହଲିଙ୍କୁ ବୋଲିଂ କରୁଥିବାର ଦେଖି କ୍ରିକେଟପ୍ରେମୀ ଖୁସି ହୋଇଛନ୍ତି ସତ କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ଟିମ୍ ଇଣ୍ଡିଆ ପାଇଁ ବଡ ଝଟକା ଠାରୁ ମଧ୍ୟ କମ ନୁହେଁ । ଆଗକୁ ବିଶ୍ୱକପର ବଡ ବଡ ମ୍ୟାଚ ଥିବାରୁ ହାର୍ଦ୍ଦିକ ଆହତ ହେବା ଟିମ୍ ଇଣ୍ଡିଆର ଚିନ୍ତା ବଢାଇ ଦେଇଛି । ହାର୍ଦ୍ଦିକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି କି ନାହିଁ ତାହା ଜଣାପଡିନାହିଁ । ତେବେ ପଡିଆରୁ ପ୍ୟାଭିଲିୟନକୁ ଯେଉଁଭଳି ଢଙ୍ଗରେ ହାର୍ଦ୍ଦିକ ପାଣ୍ଡ୍ୟା ଗଲେ ତାହା ଦେଖିଲେ ଲାଗୁଥିଲା ହାର୍ଦ୍ଦିକଙ୍କ ଆଘାତ ବେଶ ଗୁରୁତର ରହିଛି । ତେଣୁ ପୁଣିଥରେ ହାର୍ଦ୍ଦିକ ମୈଦାନକୁ ଓହ୍ଲାଇବେ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।