କନକ ବ୍ୟୁରୋ : ଏସିଆକପରେ ଆଫଗାନିସ୍ତାନ ବିରୋଧରେ ଭାରତର ବଡ଼ ବିଜୟ । କୋହଲିଙ୍କ ଦମଦାର ଶତକ । ଭାରତର ୨୧୨ ରନ୍ ଜବାବରେ କେବଳ ୧୧୧ ରନ୍ ଆଫଗାନ ଦଳ କରିପାରିଲା । ୭ ଥର ବିଜେତା ଭାରତ କିନ୍ତୁ ଫାଇନାଲ୍ ଖେଳିବା ପୂର୍ବରୁ ଏସିଆ କପ୍‌ ଅଭିଯାନ ଶେଷ କରିଛି । ରବିବାର ଫାଇନାଲ୍‌ ଖେଳିବା ପୂର୍ବରୁ ପାକିସ୍ତାନ-ଶ୍ରୀଲଙ୍କା ଆଜି ଅନ୍ତିମ ସୁପର୍‌ ଫୋର୍‌ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ । ଭାରତ ଓ ଆଫ୍‌ଗାନିସ୍ତାନ ଗ୍ରୁପ୍‌ ବିଜେତା ହୋଇ ସୁପର୍‌ ଫୋର୍‌କୁ ଆସିଥିଲେ ମଧ୍ୟ ଆଗକୁ ନ ବଢ଼ି ଉଭୟ ଅଭିଯାନ ଶେଷ କରିଛନ୍ତି ।

Advertisment

ଗୁରୁବାର ଆଫଗାନିସ୍ତାନ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରୋହିତ ଶର୍ମା ବିଶ୍ରାମ ‌ନେଇଯିବାରୁ କେଏଲ୍ ରାହୁଲ ଦଳର ନେତୃତ୍ବ ସମ୍ଭାଳିଥିଲେ । ଭାରତ ମଧ୍ୟ ହାର୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ୟୁଝବେନ୍ଦ୍ର ଚହଲଙ୍କ ବଦଳରେ ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ୍‌ ଓ ଦୀପକ ଚହରଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦେଇଥିଲା । ଲଗାତାର ମ୍ୟାଚ୍‌ ଖେଳୁଥିବା କ୍ଲାନ୍ତ ଆଫଗାନିସ୍ତାନ ବୋଲରଙ୍କୁ ପ୍ରଥମରୁ ଧୂଲେଇ କରିଥିଲେ ଭାରତର ନୂଆ ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ ଏବଂ ବିରାଟ କୋହଲି। ଉଭୟ ପ୍ରଥମ ୱିକେଟ୍ ପାଇଁ ୧୨.୪ ଓଭରରେ ୧୧୯ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ ।

ସେପଟେ, ୧୦୨୦ ଦିନର ସଂଘର୍ଷ ପରେ ବିରାଟଙ୍କ ବ୍ୟାଟ୍‌ରୁ ମିଳିଛି ବିରାଟ ଶତକ । ଏହି ତିନି ବର୍ଷ ପ୍ରାୟ ମଧ୍ୟରେ କୋହଲି ଖେଳିଥିବା ୮୪ ଅନ୍ତର୍ଜାତୀୟ ପାଳି ଥିଲା ଶତକଶୂନ୍ୟ। ଗୁରୁବାର ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ କୋହଲି କିନ୍ତୁ ମାତ୍ର ୬୧ ବଲରୁ ୧୨୨ ରନ୍ର ପାଳି ଖେଳି ଏକ ଦୀର୍ଘଶ୍ବାସ ପକାଇଛନ୍ତି । କୋହଲିଙ୍କ ମୁଖମଣ୍ଡଳ ସହିତ ତାଙ୍କ କୋଟି କୋଟି ପ୍ରଶଂସକଙ୍କ ମୁହଁରେ ହସ ଫୁଟିଛି । ଏସିଆ କପ୍‌ ନୈରାଶ୍ୟ ପରେ କୋହଲିଙ୍କ ଫର୍ମ ମଧ୍ୟ ଭାରତକୁ ବିଶ୍ବକପ୍‌ ପୂର୍ବରୁ ଆତ୍ମସନ୍ତୋଷ ଦେଇଛି । ଅନେକ ମାଇଲଖୁଣ୍ଟର ପ୍ରତିଷ୍ଠାତା ବିରାଟ କୋହଲି ନିଜର ଅନ୍ୟତମ ଅଧୁରା ସ୍ବପ୍ନକୁ ଏହି ଅବସରରେ ପୂରଣ କରିଛନ୍ତି । ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ ଶତକ ହାସଲ କରିବା ସହ ଏହି ଫର୍ମାଟରେ ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋରର୍‌ ହୋଇଛନ୍ତି ।