‘ସୁପର ଡାନ୍ସର ଚ୍ୟାପ୍ଟର ୪’ ରେ ସଞ୍ଚିତଙ୍କ ଟ୍ୟାଲେଣ୍ଟରେ ଭାବବିହ୍ୱଳ ହେଲେ ବିରାଟ: ସୋସିଆଲ ସାଇଟରେ କଲେ ଭୁରି ପ୍ରଶଂସା

186

କନକ ବ୍ୟୁରୋ: ୧୦ ବର୍ଷର କଣ୍ଟେଷ୍ଟାଣ୍ଟ ସଞ୍ଚିତଙ୍କ ଟ୍ୟାଲେଣ୍ଟରେ ଭାବବିହ୍ୱଳ ହେଲେ  କ୍ୟାପ୍ଟେନ ବିରାଟ କୋହଲି । ଡାନ୍ସ ରିଆଲିଟି ସୋ ‘ସୁପର ଡାନ୍ସର ଚ୍ୟାପ୍ଟର ୪’ ରେ ୧୦ ବର୍ଷର କଣ୍ଟେଷ୍ଟାଣ୍ଟ ସଞ୍ଚିତ ଚନାନା ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ୍ ବିରାଟ କୋହଲିଙ୍କୁ ନିଜ ଟ୍ୟାଲେଣ୍ଟରେ ପ୍ରଭାବିତ କରିପାରିଛନ୍ତି । ସୋସିଆଲ ମିଡିଆରେ ସଞ୍ଚିତଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ବିରାଟ । ସଞ୍ଚିତଙ୍କ ପରଫରମାନ୍ସ ଦେଖି ତାଙ୍କ ଲୋମ ଟାଙ୍କୁରି ଉଠିଥିଲା ବୋଲି କହିଛନ୍ତି ବିରାଟ ।

ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଷ୍ଟୋରୀରେ ସଞ୍ଚିତ ଚନାନା ଓ ତାଙ୍କ ଗୁରୁ ବର୍ତ୍ତିକା ଝା ଙ୍କ ଫଟୋ ସେୟାର କରିଛନ୍ତି । ସଞ୍ଚିତ ଚନାନାଙ୍କୁ ଟ୍ୟାଗ କରି ବିରାଟ ଲେଖିଛନ୍ତି ଯେ, ‘ପ୍ରଥମ କରି ତାଙ୍କ ଜୀବନରେ ଏପରି ଘଟିଛି ଯେ ସେ କାହାର ପରଫରମାନ୍ସ ଦେଖି ଏତେ ମନ୍ତ୍ରମୁଗ୍ଧ  ହୋଇପଡିଛନ୍ତି ।  ସଞ୍ଚିତଙ୍କ ପୂର୍ବରୁ ଅରିଜିତ୍ ହିଁ ଏକମାତ୍ର ଏପରି ବ୍ୟକ୍ତିତ୍ୱ ଥିଲେ ଯାହାଙ୍କ ଟ୍ୟାଲେଣ୍ଟ ମୋତେ ଭାବବିହ୍ୱଳ କରିଥିଲା । ଏହାପରେ ୟୁଟ୍ୟୁବରେ ଏହି କୁନି ପୁଅର ଡାନ୍ସ ଦେଖିବା ପରେ ଚକିତ ହୋଇପଡିଥିଲି । ତାଙ୍କର ପରଫରମାନ୍ସରେ ମୋ ଲୋମ ଟାଙ୍କୁରି ଉଠିଥିଲା । ଭଗବାନ୍ ଏହି ବାଳକର ମଙ୍ଗଳ କରନ୍ତୁ’ ବୋଲି କହି ତାଙ୍କୁ ଶୁଭ କାମନା ଜଣାଇଛନ୍ତି ବିରାଟ କୋହଲି ।

କହିରଖୁଁ କି, ସଞ୍ଚିତ ଚନାନା ଓ ତାଙ୍କ ଗୁରୁ ବର୍ତ୍ତିକା ଝା ‘ସୁପର ଡାନ୍ସର ଚାପ୍ଟର ୪’ର ଫାଇନାଲରେ ପହଞ୍ଚିଥିଲେ । କିନ୍ତୁ ଫ୍ଲୋରିନ୍ ଗୋଗୋଇ ବିଜେତା ହେଲେ ଏବଂ ସଂଚିତଙ୍କୁ ସେକେଣ୍ଡ ରନର-ଅପ୍ ଘୋଷଣା କରାଗଲା । ତାଙ୍କୁ ପୁରସ୍କାର ସ୍ୱରୁପ ୧ଲକ୍ଷ ଟଙ୍କାର ଚେକ୍ ଦିଆଗଲା । ଏହା ସହ ସୋ’ର ସ୍ପୋନ୍ସରଙ୍କ ତରଫରୁ ଏକ ରେଫ୍ରିଜେରେଟର ଓ ଏୟାର ପ୍ୟୁରିଫାୟର ମିଳିଛି । ପାର୍ଟନର ବ୍ୟାଙ୍କ ତରଫରୁ ସଂଚିତଙ୍କ ନାଁରେ ୫୧,୦୦୦ ଟଙ୍କାର ଏକ ଫିକ୍ସଡ୍ ଡିପୋଜିଟ୍ ସାର୍ଟିଫିକେଟ ମଧ୍ୟ ଦିଆଯାଇଛି । ସେକେଣ୍ଡ ରନର୍ସ ଅଫ୍ ହେଲେ ବି ସୋ’ର ଜଜଙ୍କ ଠାରୁ ଯେତିକି ସ୍ନେହ ଓ ଶୁଭେଚ୍ଛା ମିଳିଛି ତାହା ତାଙ୍କ ପାଇଁ ପ୍ରେରଣାର ସ୍ରୋତ ବୋଲି କହିଛନ୍ତି ସଞ୍ଚିତ  ।