ମ୍ୟାଚ୍ ମଝିରେ ଚିଡିଲେ କୋହଲି! ଭିନ୍ନ ଶୈଳୀରେ ପାକିସ୍ତାନ ବ୍ୟାଟରଙ୍କୁ କଲେ ଟ୍ରୋଲ, ଭାଇରାଲ ହେଲା ଭିଡ଼ିଓ ।

749

କନକ ବ୍ୟୁରୋ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁ ମଧ୍ୟରୁ ବିରାଟଙ୍କର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମ୍ୟାଚର ୧୩ତମ ଓଭରରେ ଘଟିଥିବା ଏହି ଘଟଣା କ୍ୟାମେରାରେ କଏଦ ହେବା ପରେ ସୋସିଆଲ ମିଡ଼ିଆରେ ମାତ୍ର କେଇ ମିନିଟ୍ ମଧ୍ୟରେ ଭାଇରାଲ ହେବାରେ ଲାଗିଥିଲା । ଯେଉଁ ଭିଡ଼ିଓରେ କୋହଲି ଭିନ୍ନ ଅନ୍ଦାଜରେ ପାକିସ୍ତାନ ବ୍ୟାଟରଙ୍କୁ ଟ୍ରୋଲ କରୁଥିବାର ଦେଖିବାକୁ ମିଳିଥିଲା ।

୧୩ ତମ ଓଭରରେ ଇମାମଙ୍କ ୱିକେଟ ଯିବା ପରେ ମୈଦାନକୁ ଆସିଥିଲେ ମହମ୍ମଦ ରିଜୱାନ । ପଡିଆକୁ ଆସିଥିଲେ ମଧ୍ୟ ଷ୍ଟ୍ରାଇକ ନେବାକୁ ଦୀର୍ଘ ସମୟ ଲଗାଇଥିଲେ ରିଜୱାନ । ଫିଲଡର ଓ ବୋଲର ଅପେକ୍ଷା କରି ରହିଥିଲେ ମଧ୍ୟ ରିଜୱାନ ବ୍ୟାଟିଂ କରିବାରେ ବିଳମ୍ବ କରୁଥିଲେ । ଏନେଇ ଅଧିନାୟକ ରୋହିତ ଶର୍ମା ଫିଲ୍ଡ ଅମ୍ପାୟାରଙ୍କୁ ଅଭିଯୋଗ କରୁଥିବା ବେଳେ କୋହଲି ବାରମ୍ବାର ନିଜର ହାତକୁ ଦେଖି ସମୟ ଦେଖିବାର ଅଭିନୟ କରିଥିଲେ । ହାତରେ ଘଣ୍ଟା ନଥିଲେ ମଧ୍ୟ କୋହଲି ବାରମ୍ବାର ସମୟ ଦେଖିବାର ଆକ୍ସନ କରି ରିଜୱାନଙ୍କୁ ଟ୍ରୋଲ କରିଥିଲେ । ଭିଡ଼ିଓ ଦେଖି ଲାଗୁଥିଲା ସତେ ଯେପରି କୋହଲି କହୁଥିଲେ, ଆରେ ଭାଇ ଶୀଘ୍ର ବ୍ୟାଟିଂ କର, ସମୟ କାହିଁକି ଗଡାଉଛ । ବାସ୍ତବରେ ଭାରତୀୟ ଖେଳାଳୀ ଚିଡିବାର ବଡ କାରଣ ହେଲା ଖେଳ ଯେତିକି ବିଳମ୍ବ ହେବ ବୋଲିଂ କରୁଥିବା ଟିମ ପାଇଁ ସେତିକି ଅଡୁଆ ବଢିବ ।

 

View this post on Instagram

 

A post shared by ICC (@icc)

ଆଇସିସିର ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସମୟ ଭିତରେ ବୋଲିଂ ଶେଷ ନକଲେ ଏଥିପାଇଁ ଟିମ ଉପରେ ଦଣ୍ଡ ବ୍ୟବସ୍ଥା ରହିଛି । ନିର୍ଦ୍ଧାରିତ ସମୟରେ ବୋଲିଂ ଶେଷ ନ ହେଲେ ମ୍ୟାଚର ଶେଷ ଓଭର ବେଳକୁ ୩୦ ଗଜ ଭିତରକୁ ଆଉ ଏକ ଫିଲ୍ଡରକୁ ଆଣିବାକୁ ପଡିଥାଏ । ଶେଷ ଓଭର ଆଡକୁ ଯେହେତୁ ବ୍ୟାଟର ଅଧିକ ରନ୍ ସଂଗ୍ରହ କରିବାକୁ ବଡ ବଡ ସଟ୍ ଖେଳିଥାନ୍ତି ତେଣୁ ସେହି ସମୟରେ ବାଉଣ୍ଡରୀ ଲାଇନରେ କମ ଫିଲଡର ରହିବା ବୋଲିଂ କରୁଥିବା ଟିମ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ଯେପରି ଶେଷ ହେଉ ତାହା ଚାହୁଁଥିଲେ ଉଭୟ ବିରାଟ ଓ ରୋହିତ । ଯେଉଁଥିପାଇଁ ରୋହିତ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ କୋହଲି ପାକ୍ ବ୍ୟାଟରଙ୍କୁ ଟ୍ରୋଲ କରିଥିଲେ ।

ଚଳିତ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧିଥିଲେ । କିନ୍ତୁ ପାକିସ୍ତାନ ମାତ୍ର ୧୯୧ ରନରେ ଅଲଆଉଟ ହେବା କାରଣରୁ ହାଇସ୍କୋରିଂ ମ୍ୟାଚ୍ ଦେଖିବାରୁ ବଞ୍ଚିତ ହୋଇଥିଲେ ଦର୍ଶକ । ତେବେ ଏହି ବିଜୟ ସହ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତ ନିଜର ଅପରାଜେୟ ରେକର୍ଡ କାଏମ ରଖିଛି । ଏବେ ପର୍ଯ୍ୟନ୍ତ ଭାରତ ବିଶ୍ୱକପରେ ପାକିସ୍ତାନକୁ ୮ଥର ଭେଟିଛି ଏବଂ ପ୍ରତି ମୁକାବିଲାରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଛି । ପାକିସ୍ତାନ ବିପକ୍ଷରେ ବିଜୟ ସହ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।