କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜିତ ହେବା ପରେ ଟିମ୍ ଇଣ୍ଡିଆକୁ ଚାରିଆଡୁ ସମାଲୋଚନା କରାଯାଉଛି । ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ କ୍ରିକେଟ ପ୍ରଂଶସକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ ଏମିତି କିଛି ବ୍ୟକ୍ତି ରହିଛନ୍ତି ଯେଉଁମାନେ ସବୁ ସୀମା ପାର କରି ଯାଇଛନ୍ତି । ମାନବିକତା ଭୁଲି ଯାଇଛନ୍ତି, ଖେଳାଳୀଙ୍କ ପରିବାରକୁ ଅସଭ୍ୟ ଭାଷାରେ ଗାଳି କରିବାକୁ ବି ପଛାଇ ନାହାନ୍ତି । ଏଭଳି ବ୍ୟକ୍ତିଙ୍କର ମାନସିକତା ଏତେ ନିମ୍ନସ୍ତରକୁ ଖସି ଯାଇଛି ଯେ, କ୍ୟାପଟେନ କୋହଲିଙ୍କ ୯ ମାସର ଝିଅ ଭାମିକାଙ୍କୁ ନେଇ ଧମକ ଦେବା ସହ ଅପଶବ୍ଦ ବ୍ୟବହାର କରିଛନ୍ତି । ଆଉ ଏହି ଘଟଣାକୁ ନେଇ ଏବେ ଦିଲ୍ଲୀ ମହିଳା କମିଶନ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗକୁ ଆସିଛି ।
କେବଳ ଦିଲ୍ଲୀ ମହିଳା କମିଶନ ନୁହେଁ ବରଂ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ୍ ମଧ୍ୟ ବିରାଟଙ୍କ ପରିବାରକୁ ଟାର୍ଗେଟ କରାଯିବାକୁ ନାପସନ୍ଦ କରିଛନ୍ତି । ଆଉ ଏବେ ପାକିସ୍ତାନରେ ବିରାଟ କମ ଟୁ ପାକିସ୍ତାନ ଟ୍ରେଣ୍ଡ ହେଉଛି । ଏପରିକି ପାକିସ୍ତାନ ନେତା ମଧ୍ୟ ଏହି ଟ୍ରେଣ୍ଡରେ ନିଜକୁ ସାମିଲ କରିଛନ୍ତି । ପାକିସ୍ତାନ ନେତା ଖୁରମ ନୱାଜ ଗଣ୍ଡାପୁର ଟ୍ୱିଟ୍ କରି ଲେଖିଛନ୍ତି, ଅଳ୍ପସଂଖ୍ୟକ ଲୋକଙ୍କ ପାଇଁ ପାକିସ୍ତାନ ପୂରା ସୁରକ୍ଷିତ । ଆମେ ଆପଣଙ୍କ କ୍ରିକେଟ ଓ ପରିବାରକୁ ସମ୍ମାନ ଜଣାଉଛୁ । ଆମେ କଣ କୌଣସି ଟିମକୁ ଗାଳି ଦେଇଛୁ ଯିଏ ପାକିସ୍ତାନକୁ ହରାଇଛି । ମ୍ୟାଚ୍ ହାରିବା ପରେ ଆମେ ନିଜର ଖେଳାଳୀଙ୍କ ପରିବାରକୁ ଟାର୍ଗେଟ କରିନାହୁଁ ।
Pakistan is safe for its minorities. We respect your professional Cricket & we respect your family. Have we ABUSED any team that has defeated Pakistan? We NEVER attack the families of our players if they lose a match. HINDUTVA will destroy India. #ViratComeToPakistan
— Khurram Nawaz Gandapur (@GandapurPAT) November 3, 2021
ସେହିଭଳି ଏକ ପାକିସ୍ତାନୀ ୟୁଜର୍ସ ଲେଖିଛନ୍ତି, ବିରାଟ ଆପଣଙ୍କ ସହ ପୂରା ପାକିସ୍ତାନ ଅଛି । ଆପଣ ପାକିସ୍ତାନ ଚାଲି ଆସନ୍ତୁ , ଆପଣଙ୍କ ପରିବାରର ଦାୟିତ୍ୱ ପୂରା ପାକିସ୍ତାନର ଦାୟିତ୍ୱ ହେବ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଆପଣ କ୍ରିକେଟର ୩ଟି ଫର୍ମାଟରେ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ । ଆମ ମନରେ କେବେ ବି ଏଭଳି ଖରାପ ଭାବନା ଆସିବ ନାହିଁ । ଏଭଳି ଚିନ୍ତାଧାରା ରଖୁଥିବା ଲୋକଙ୍କୁ ଲାଜ ଲାଗିବା ଦରକାର । ବିରାଟଙ୍କ ଭଳି ହିରୋଙ୍କୁ ଆପଣାଇଲେ ଆମେ ବହୁତ ଖୁସି ହେବୁ ।
#ViratComeToPakistan he is undoubtedly the best batsman of all format! Neither Islam nor our national ethics would ever allow to have that filthy thought in mind! Shame on every rascal in earth who even think bad about kids of anyone families! We are happiest to accept a hero! https://t.co/Z7XwGVjTj8
— لال و لعل (@AdorablePakis) November 2, 2021
ଅନ୍ୟପଟେ ବିରାଟଙ୍କ ଝିଅକୁ ସୋସିଆଲ ମିଡ଼ିଆରେ ଧମକ ମିଳିବା ପରେ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି ଏବଂ ଏବେ ପର୍ୟ୍ୟନ୍ତ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ବାବଦରେ ତଥ୍ୟ ମାଗିଛି । ଦିଲ୍ଲୀର ସାଇବର କ୍ରାଇମ ସେଲକୁ ପ୍ରଶ୍ନ କରିବା ସହ କୋହଲିଙ୍କ ଝିଅକୁ ମିଳିଥିବା ଧମକ ବାବଦରେ ସୂଚନା ମାଗିଛି । ଏପ୍ରସଙ୍ଗରେ ତୁରନ୍ତ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମହିଳା କମିଶନର ମୁଖ୍ୟ ସ୍ୱାତୀ ମାଲିୱାଲ । ସ୍ୱାତୀ କହିଛନ୍ତି, ମ୍ୟାଚରେ ହାର-ଜିତ୍ ଲାଗି ରହିଥାଏ, କିନ୍ତୁ ଆମକୁ ଟିମ୍ ସହ ଛିଡା ହେବା ଆବଶ୍ୟକ । କୌଣସି ପରିସ୍ଥିତିରେ ଖେଳାଳୀଙ୍କ ପରିବାରକୁ ଏହି ସବୁ ମାମଲାରେ ଟାଣିବା ଉଚିତ୍ ନୁହେଁ ବୋଲି କହିଛନ୍ତି ସ୍ୱାତୀ ।୮ ନଭେମ୍ବର ମଧ୍ୟରେ ଏହି ପ୍ରସଙ୍ଗରେ ସବିଶେଷ ତଥ୍ୟ ଦେବାକୁ କହିଛନ୍ତି ସ୍ୱାତୀ ।