ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଧାର୍ମିକ ଯାତ୍ରାରେ ବିରାଟ କୋହଲି । ପତ୍ନୀ ଓ ଝିଅଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ କାଟିଲେ ଦିନ ।

263

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଧାର୍ମିକ ଯାତ୍ରାରେ ବିରାଟଙ୍କୁ ଦେଖିବାକୁ ମିଳିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ କ୍ରିକେଟରୁ ବ୍ରେକ୍ ଟାଇମ ପାଇଛନ୍ତି ବିରାଟ । ଆଉ ଏହି ସମୟରେ ବିରାଟଙ୍କୁ ଧାର୍ମିକସ୍ଥଳୀରେ ଦେଖିବାକୁ ମିଳିଛି । ପତ୍ନୀ ଅନୁଷ୍କାଙ୍କ ସହ ବିରାଟ ଏବେ ଋଷିକେଶର ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଆଶ୍ରମରେ ଅଟକିଛନ୍ତି । ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଏହି ଆଶ୍ରମକୁ ଆସିଛନ୍ତି ବିରୁଷ୍କା । ସବୁଠୁ ବଡ କଥା ହେଲା, ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଆଧ୍ୟାତ୍ମିକ ଗୁରୁ ମଧ୍ୟ ସ୍ୱାମୀ ଦୟାନନ୍ଦ ଥିଲେ ଏବଂ ମୋଦି ମଧ୍ୟ ୨୦୧୫ରେ ସ୍ୱାମୀଜୀଙ୍କ ଦର୍ଶନ ପାଇଁ ଏହି ଆଶ୍ରମକୁ ବୁଲି ଆସିଥିଲେ । ଆଉ ଏହାପରେ ଏହି ଆଶ୍ରମକୁ ନେଇ ଚର୍ଚ୍ଚା ବଢିଥିଲା ଏବଂ ଦେଶର ବଡ ବଡ ବ୍ୟକ୍ତିତ୍ୱଙ୍କୁ ଏହି ଆଶ୍ରମ ଆସୁଥିବାର ଦେଖିବାକୁ ମିଳିଥିଲା । ଆଉ ଏବେ ଏହି ତାଲିକାରେ ବିରାଟ ଓ ଅନୁଷ୍କା ଯୋଡି ହୋଇଛନ୍ତି । ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୋମବାର ଉଭୟ ଅନୁଷ୍କା ଓ ବିରାଟ ଝିଅ ଭାମିକାଙ୍କ ସହ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଆଶ୍ରମକୁ ଯାଇ ପ୍ରଥମେ ସମାଧି ସ୍ଥଳ ବୁଲିବା ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ ଏବଂ ଏଠାରେ ୨୦ ମିନିଟ୍ ଧରି ଧ୍ୟାନରେ ବସିଥିଲେ । ପରେ ଉଭୟ ପତି-ପତ୍ନୀ ଦୟାନନ୍ଦ ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ସାକ୍ଷାତକୃତା ନନ୍ଦ ମହାରାଜଙ୍କ ଠାରୁ ଆର୍ଶୀବାଦ ନେଇଥିଲେ ଏବଂ ଏଠାରେ ରାତ୍ରୀଯାପନ କରିଥିଲେ । ଏହି ରହଣି ସମୟରେ ଗଙ୍ଗା ଘାଟକୁ ଯାଇ ମା’ ଗଙ୍ଗା ଆଳତିରେ ସାମିଲ ହୋଇଥିଲେ । ମଙ୍ଗଳବାର ମଧ୍ୟ ଉଭୟ ବିରାଟ ଓ ଅନୁଷ୍କା ଏହି ଆଶ୍ରମରେ କାଟିବେ । ଏହି ସମୟରେ ଆଶ୍ରମରେ ହେବାକୁ ଥିବା ଯଜ୍ଞ ଓ ପୂଜାରେ ସାମିଲ ହେବେ । ତେବେ ମଙ୍ଗଳବାର ଆଶ୍ରମବାସୀଙ୍କ ପାଇଁ ବିରାଟ-ଅନୁଷ୍କାଙ୍କ ତରଫରୁ ଏକ ପ୍ରସାଦ ବଣ୍ଟନର ବ୍ୟବସ୍ଥା ହୋଇଛି ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ ପାଇଁ କୋହଲି ଏବେ ମାନସିକ ଭାବେ ନିଜକୁ ଫିଟ୍ ରଖୁଛନ୍ତି । ଯେଉଁଥିପାଇଁ ପରିବାର ସହ ସମୟ କାଟିବା ସହ ଆଧ୍ୟାତ୍ମିକ ଯାତ୍ରା କରୁଛନ୍ତି । ମନରେ ସକରାତ୍ମକ ଉର୍ଜା ହାସଲ ପାଇଁ ଏବେ କୋହଲି ଆଧ୍ୟାତ୍ମିକ ନଗର ଋଷିକେଶରେ ପହଞ୍ଚିଛନ୍ତି । ଯେଉଁଠି କୋହଲିଙ୍କୁ ବେଶ ଖୁସି ଥିବାର ଦେଖିବାକୁ ମିଳିଛି ।

ଏହାପୂର୍ବରୁ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପୂର୍ବରୁ ବୃନ୍ଦାବନ୍ଦ ଯାତ୍ରା କରିଥିଲେ କୋହଲି । ବୃନ୍ଦାବନରେ ଶ୍ରୀ ପରମାନନ୍ଦଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ବିରାଟ । ବୃନ୍ଦାବନରୁ ଫେରି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ କୋହଲି । ଦୁଇ ଶତକ ସହ ପୁରୁଣା ଫର୍ମକୁ ଫେରିଥିଲେ ରନ୍ ମେସିନ । ତେଣୁ ବିରାଟଙ୍କର ସେହି ଦମଦାର ଫର୍ମ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦେଖିବାକୁ ମିଳିବ ବୋଲି ଆଶା ବାନ୍ଧିଛନ୍ତି କ୍ରିକେଟପ୍ରେମୀ । ଆସନ୍ତା ୯ ଫେବ୍ର୍ରୁଆରୀରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତେଣୁ କୋହଲି ଏହି ସିରିଜରେ ଜବରଦସ୍ତ ପ୍ରଦର୍ଶନ କରନ୍ତୁ ବୋଲି ଚାହୁଁଛନ୍ତି ଭାରତୀୟ କ୍ରିକେଟ ଫ୍ୟାନ୍ । ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ ।