କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ୍ ଇଣ୍ଡିଆ ଯାଇଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ୱରେ ଟେଷ୍ଟ ମ୍ୟାଚ ଖେଳୁଛି ଭାରତ । ପ୍ରଥମ ମୁକାବିଲାରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିଛି କୋହଲି ଆଣ୍ଡ କୋ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ରୋହିତଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇପାରେ ମେନ୍ ଇନ୍ ବ୍ଲୁ । ଯେହେତୁ ରୋହିତ ଶର୍ମା ଏବେ ଆହତ ଅଛନ୍ତି ତେଣୁ ଏଯାବତ ଦିନିକିଆ ଦଳ ଘୋଷଣା କରାଯାଇନାହିଁ । ଗୋଟିଏ ପଟେ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ବିବାଦ ଦେଖିବାକୁ ମିଳିଥିଲା । ବିସିସିଆଇ ଓ ବିରାଟଙ୍କ ମଧ୍ୟରେ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଉଭୟ ରୋହିତ ଓ ବିରାଟ ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳୀ । ଏମାନଙ୍କ ଅନୁପସ୍ଥିତି ଅନେକ ସମୟରେ ବାରି ହୁଏ । ଯେଉଁଥିପାଇଁ ଉଭୟ ଖେଳାଳୀଙ୍କ ଉପରେ ଭରସା ରଖିଛି ବିସିସିଆଇ । ଯେଉଁଥିପାଇଁ ଏହି ଦୁଇ ଖେଳାଳୀଙ୍କୁ ମୋଟା ଅଙ୍କର ଦରମା ଦେଇଥାଏ ବିସିସିଆଇ । କେବଳ ବିସିସିଆଇ ନୁହେଁ ବରଂ ଆଇପିଏଲ ଫ୍ରାଞ୍ଚାଇଜ ମଧ୍ୟ କୋଟି କୋଟି ଟଙ୍କା ଦେଇ ଉଭୟ ଖେଳାଳୀଙ୍କୁ ନିଜ ଦଳରେ ରିଟେନ କରି ରଖିଛନ୍ତି ।

Advertisment

ବିସିସିଆଇର କଣ୍ଟ୍ରାକ୍ଟ ମୁତାବକ ଉଭୟ ବିରାଟ ଓ ରୋହିତଙ୍କୁ ଏ ପ୍ଲସ ଗ୍ରେଡରେ ରଖାଯାଇଛି । ଯେଉଁଥିପାଇଁ ଉଭୟ ଖେଳାଳୀଙ୍କୁ ବାର୍ଷିକ ୭ କୋଟି ଟଙ୍କା ଲେଖାଏଁ ଦେଇଥାଏ ବିସିସିଆଇ । ଏହାବାଦ୍ ଆଇପିଏଲରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ଏହି ଦୁଇ ଷ୍ଟାର ଖେଳାଳୀ ।  ତେବେ ଆଇପିଏଲରୁ ଉଭୟ ରୋଜଗାର କରୁଥିବା ପାରିଶ୍ରମିକରେ ବ୍ୟବଧାନ ରହିଛି । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବା ରୋହିତ ଶର୍ମାଙ୍କୁ ଦଳ ୧୬ କୋଟି ଟଙ୍କା ଦେଇ ରିଟେନ୍ କରିଛି । ଅନ୍ୟପଟେ ଅଧିନାୟକ ପଦ ଛାଡିଥିଲେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲିଙ୍କୁ ୧୫ କୋଟି ଟଙ୍କା ଦେଇ ରିଟେନ କରିଛି । ଏହାବାଦ୍ ଉଭୟ ଖେଳାଳୀ ବିଭିନ୍ନ ବିଜ୍ଞାପନ ବାବଦରେ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ।

ଅନ୍ୟପଟେ ଆଇପିଏଲରେ ଅଧିନାୟକ ଭାବେ ଉଭୟଙ୍କ ପ୍ରଦର୍ଶନ ଦେଖିଲେ ରୋହିତ ସଫଳ ରହିଛନ୍ତି । ରୋହିତ ୨୦୧୩ରେ ମୁମ୍ବାଇର ମଙ୍ଗ ଧରିଥିବା ବେଳେ ଏହା ଭିତରେ ଦଳକୁ ୪ ଥର ଚାମ୍ପିୟନ କରିଛନ୍ତି । ସେହିଭଳି କୋହଲି ୨୦୧୩ରୁ ୨୦୨୧ ଯାଏଁ ଆରସିବିର ଅଧିନାୟକ ଥିଲେ ମଧ୍ୟ ଥରୁଟିଏ ଦଳକୁ ଚାମ୍ପିୟନ କରିବାରେ ସଫଳ ହୋଇନଥିଲେ । ୨୦୨୧ରେ ଦଳ ଏଲିମିନେଟରରୁ ବିଦାୟ ନେଇଥିବା ବେଳେ ୨୦୧୬ରେ ଫାଇନାଲ ଖେଳିଥିଲା । ତେବେ ଫାଇନାଲ ମୁକାବିଲାରେ ହାଇଦ୍ରାବାଦ ଠାରୁ ପରାଜିତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା ବାଙ୍ଗାଲୋର ।