ପ୍ରଂଶସକଙ୍କ ଡିମାଣ୍ଡ, ପୂରା କଲେ ରୋହିତ-ବିରାଟ । ବିଶ୍ୱକପରେ ପ୍ରଥମଥର ଦେଖିବାକୁ ମିଳିଲା ଏମିତି, ଝୁମିଲା ପୂରା ଷ୍ଟାଡିୟମ ।
କନକ ବ୍ୟୁରୋ : ନେଦରଲାଣ୍ଡସ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ଜିତି ବିଶ୍ୱକପରେ ଅପରାଜେୟ ରହିଛି ଟିମ ଇଣ୍ଡିଆ । ନେଦରଲାଣ୍ଡସ ବିପକ୍ଷରେ ଟିମ୍ ଇଣ୍ଡିଆ ଦମଦାର ବ୍ୟାଟିଂ କରିଥିବା ବେଳେ ବୋଲିଂରେ ମଧ୍ୟ ଜଲୱା ଦେଖାଇଛି । ଖାସକରି ଦୀର୍ଘବର୍ଷ ପରେ ରୋହିତ ଓ ବିରାଟଙ୍କ ହାତରେ ବଲ୍ ଦେଖିବାକୁ ମିଳିଛି । ନେଦରଲାଣ୍ଡସ ବିପକ୍ଷରେ ଉଭୟ ବିରାଟ-ରୋହିତ ବୋଲିଂ କରିଥିଲେ । ଉଭୟଙ୍କ ବୋଲିଂ ଦେଖି ଷ୍ଟାଡିୟମରେ ଝୁମିଥିଲେ ଭାରତୀୟ କ୍ରିକେଟ ପ୍ରଂଶସକ । ନେଦରଲାଣ୍ଡସ ବିପକ୍ଷରେ ବିଶାଳ ସ୍କୋର କରିବା ପରେ ଷ୍ଟାଡିୟମରେ ଥିବା ପ୍ରଂଶସକ ବିରାଟ କୋହଲିଙ୍କୁ ବୋଲିଂ ଦିଆଯାଉ ବୋଲି ଜୋରରେ ନାରା ପକାଇଥିଲେ । ରୋହିତ ମଧ୍ୟ ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିରାଶ କରିନଥିଲେ । ବିରାଟଙ୍କ ହାତରେ ବଲ ଧରାଇଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ବିରାଟ ବୋଲିଂ କରିବା କ୍ଷଣି କୋହଲି କୋହଲି ନାରାରେ ପ୍ରକମ୍ପିତ ହୋଇଥିଲା ପୂରା ଷ୍ଟାଡିୟମ । ବିରାଟ ମଧ୍ୟ ପ୍ରଂଶସକଙ୍କୁ ନିରାଶ କରିନଥିଲେ । ନିଜର ଦ୍ୱିତୀୟ ଓଭରରେ ହିଁ ନେଦରଲାଣ୍ଡସ ଅଧିନାୟକଙ୍କ ୱିକେଟ ହାସଲ କରିଥିଲେ କୋହଲି । ଆଉ ଏହାପରେ ଷ୍ଟାଡିୟମରେ ଜୋରଦାର ସେଲିବ୍ରେସନ କରିଥିଲେ କ୍ରିକେଟପ୍ରେମୀ । କାରଣ ଦୀର୍ଘ ୯ ବର୍ଷ ପରେ ଦିନିକିଆରେ ୱିକେଟ ହାସଲ କରିଥିଲେ ବିରାଟ । ଏହାପୂର୍ବରୁ କୋହଲି ୨୦୧୪ ଜାନୁଆରୀ ୩୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱିକେଟ ହାସଲ କରିଥିଲେ । ସେତେବେଳେ ମଧ୍ୟ ନ୍ୟୁଜିଲାଣ୍ଡର ଅଧିନାୟକ ଥିବା ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ଆଉଟ୍ କରିଥିଲେ କୋହଲି । ଗୋଟିଏ ପଟେ କୋହଲି ୱିକେଟ ନେବା ପରେ ପ୍ରଂଶସକ ସେଲିବ୍ରେସନ କରିଥିବା ବେଳେ ପତ୍ନୀ ଅନୁଷ୍କା ମଧ୍ୟ ଷ୍ଟାଣ୍ଡରେ ଛିଡା କୋହଲିଙ୍କ ପାଇଁ ତାଳି ମାରିଥିଲେ ।
ଗୋଟିଏ ପଟେ କୋହଲି ନେଦରଲାଣ୍ଡସ ଅଧିନାୟକଙ୍କ ୱିକେଟ ହାସଲ କରିଥିବା ବେଳେ ଅନ୍ୟପଟେ ତେଜା ନିଦାମାନରୁଙ୍କ ୱିକେଟ ନେଇ ନେଦରଲାଣ୍ଡସର ବିଶ୍ୱକପ ଅଭିଯାନ ଶେଷ କରିଥିଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଦୀର୍ଘ ୭ ବର୍ଷ ପରେ ରୋହିତ ଶର୍ମାଙ୍କୁ ବୋଲର ଭୂମିକାରେ ଦେଖିବାକୁ ମିଳିଥିଲା । ସେହିଭଳି ଗୋଟିଏ ଦଶକ ପରେ ରୋହିତ ଦିନିକିଆରେ ୱିକେଟ ହାସଲ କରିଥିଲେ । ଶେଷଥର ପାଇଁ ୨୦୧୨ରେ ଦିନିକିଆ କ୍ରିକେଟରେ ୱିକେଟ ହାସଲ କରିଥିଲେ ରୋହିତ । ସେତେବେଳେ ଅଷ୍ଟ୍ରେଲିଆର ମାଥ୍ୟୁ ୱେଡ ରୋହିତଙ୍କର ଶିକାର ହୋଇଥିଲେ । ତେବେ ନେଦରଲାଣ୍ଡସ ବିପକ୍ଷରେ ୱିକେଟ ହାସଲ କରି ବିଶ୍ୱକପରେ ପ୍ରଥମ ୱିକେଟ ହାସଲ କରିଛନ୍ତି ରୋହିତ । ଏବେସୁଦ୍ଧା ଦିନିକିଆ କ୍ରିକେଟରେ ରୋହିତ ୯ଟି ୱିକେଟ ହାସଲ କରିଛନ୍ତି । ରୋହିତ ୱିକେଟ ନେବା ପରେ ଷ୍ଟାଡିୟମରେ ଥିବା ଦର୍ଶକ ତାଙ୍କୁ ଚିୟରଅପ୍ କରିଥିଲେ । ସବୁଠୁ ବଡ କଥା ହେଲା, ପ୍ରଥମ ଥର ପାଇଁ ଉଭୟ ରୋହିତ ଓ କୋହଲି ବିଶ୍ୱକପର କୌଣସି ମ୍ୟାଚରେ ଏକାସାଙ୍ଗରେ ୱିକେଟ ହାସଲ କରିଛନ୍ତି । ରୋହିତ ଓ କୋହଲିଙ୍କ ବ୍ୟତୀତ ଶୁଭମନ ଗିଲ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ବୋଲିଂ କରୁଥିବାର ଦେଖିବାକୁ ମିଳିଥିଲା । ଉଭୟଙ୍କୁ କୌଣସି ସଫଳତା ମିଳିନଥିଲେ ମଧ୍ୟ ନେଦରଲାଣ୍ଡସ ବିପକ୍ଷରେ ୯ ଜଣ ଖେଳାଳୀଙ୍କୁ ବୋଲିଂ କରାଇଥିଲେ ରୋହିତ । ରୋହିତଙ୍କ ଏଭଳି ନିଷ୍ପତ୍ତି ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ବେଶ ଲାଭଦାୟକ । କାରଣ ପୂର୍ବରୁ ଟପ୍ ଅର୍ଡର ବ୍ୟାଟରଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳୁନଥିଲା । ଆଗକୁ ବଡ ମ୍ୟାଚ୍ ଥିବାରୁ ଭାରତ ପାଖରେ ବୋଲିଂ ବିକଳ୍ପ ଥିବା ନେଇ ସଂକେତ ଦେଇଛନ୍ତି ରୋହିତ ।