ଚାକିରୀ ଦେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ! ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକଙ୍କ ନାଁରେ ସାଂଘାତିକ ଅଭିଯୋଗ

ପୀଡିତା କହିଲେ, ବାବୁଙ୍କୁ ଖୁସି କଲେ ଦରମା ମିଳିବ କହି ଲୁଟିନେଲେ ଇଜ୍ଜତ

589

କନକ ବ୍ୟୁରୋ : ବାବୁଙ୍କୁ ଖୁସି ନକଲେ ମିଳିବନି ଦରମା । ଅଭିଯୋଗ କଲେ ଜୀବନ ଚାଲିଯିବାର ଭୟ । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି, ଜଣେ ଦିବ୍ୟାଙ୍ଗ ଯୁବତୀ । ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରା ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଏହି ଯୁବତୀ । ମାସକୁ ୭ ହଜାର ୨୦୦ ଟଙ୍କା ଦରମାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦରମା ମାଗିବାରୁ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ବେହେରା ଥରୁଟିଏ ୫ହଜାର ଟଙ୍କା ଦେଇଥିଲେ । ପରେ ପଇସା ଆସିଲେ ବକେୟା ଟଙ୍କା ଦେବେ କହି ସମୟ ଗଡାଇ ଚାଲିଥିଲେ । ସଂସ୍ଥାରେ କାମ କରିବା ସମୟରେ ସଂପାଦକ ସୁରେଶ ଚନ୍ଦ୍ର ବେହେରା ତାଙ୍କୁ ଅଶ୍ଳୀଳ ଇଂଗିତ କରିବା ସହ ଯୌନ ଶୋଷଣ କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଗତ ନଭେମ୍ବର ୨୩ରୁ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତକୁ ଫେରାର ଦର୍ଶାଇ ୨ ମାସ ହେଲା ପୁଲିସ ଚୁପ ବସିଛି ।

ଅଭିଯୋଗକାରୀ ଯୁବତୀ ଆଉ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଏହି ସଂସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲିଛି । ଅନେକ ସମୟରେ ଅଧିକାରୀମାନେ ସଂସ୍ଥା ପରିଦର୍ଶନରେ କି ଅଡିଟରେ ଆସିଥାନ୍ତି । ତେବେ ସାଂଘାତିକ କଥା ହେଉଛି , ଏହି ବାବୁମାନଙ୍କୁ ଖୁସି କରିବା ପାଇଁ ଯୁବତୀଙ୍କୁ ଭେଟି ଦିଆଯାଏ । ଏଥିପାଇଁ ରାଜ୍ୟ ବାହାରୁ କେତେକ ଯୁବତୀଙ୍କୁ ଅଣାଯାଏ ବୋଲି କହିଛନ୍ତି ଅଭିଯୋଗକାରୀ ଯୁବତୀ । ବାହାରୁ ଯୁବତୀ ଆସିନପାରିଲେ , ତାଙ୍କୁ ମଧ୍ୟ କେତେ ଥର ଶାରୀରିକ ସଂପର୍କ ପାଇଁ ବାଧ୍ୟ କରାଯାଇଥିବା କହିଛନ୍ତି ପୀଡିତା । ଏ ସଂପର୍କିତ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ରୁମ ଭିତରେ ଜଣେ କର୍ମଚାରୀ ରହିଛନ୍ତି । ଏବଂ ଯୁବତୀ ଜଣକ ସେହି ରୁମରୁ ବାହାରୁ ଆସୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଏହି ଭିଡିଓକୁ ମଧ୍ୟ ଯୁବତୀ ଜଣକ ପୁଲିସ ନିକଟରେ ଦାଖଲ କରିଛନ୍ତି ।

ଏଭଳି ସଂଗୀନ ଅଭିଯୋଗ ସଂପର୍କରେ ଆମେ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା ଚାହିଁଥିଲୁ । ମାମଲା ସଂପର୍କରେ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇନାହିଁ । ତଥାପି ଗଣମାଧ୍ୟମରୁ ଦେଖି ରାଜ୍ୟ ଭିନ୍ନକ୍ଷମ କମିସନ ମାମଲାଟିକୁ ନିଜ ଆଡୁ ତଦନ୍ତ କରିବେ ବୋଲି ସେ କହିଛନ୍ତି । ଏପରିକି ଆସନ୍ତାକାଲି ସେ ସଂସ୍ଥା ପରିଦର୍ଶନରେ ଯିବେ ଓ ଆସିଥିବା ଅଭିଯୋଗର ସତ୍ୟାସତ୍ୟ ପରଖିବେ ବୋଲି ସୂଚନା ଦେଇଛନ୍ତି ।