ଅଫିସରେ ଆରାମ କରୁଥିଲେ ସରକାରୀ ବାବୁ । ଫାଇଲ କାମୁଡି ଦୌଡିଲା ଛେଳି ।

240

କନକ ବ୍ୟୁରୋ: କଥାରେ ଅଛି ସରକାରକା ମାଲ୍, ଦରିୟା ମେଁ ଡାଲ୍ । ସରକାରୀ ସମ୍ପତ୍ତିକୁ କେତେ ଅବହେଳା କରାଯାଉଛି ପୂର୍ବରୁ ତାହାର ଅନେକ ନଜିର ଥିବାବେଳେ ଏବେ ଏହାର ଆଉ ଏକ ପ୍ରମାଣ ମିଳିଛି । ଉତ୍ତରପ୍ରଦେଶ କାନପୁରରରେ ଦେଖିବାକୁ ମିଳିଛି ଏଭଳି କିଛି ଅଜବ ଆଉ ମଜାଦାର ଘଟଣା । ଏଠିକାର ଚୌବେପୁର ବିକାଶ ଖଣ୍ଡ ସରକାରୀ କାର୍ଯ୍ୟାଳୟର ଏପରି କିଛି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ଘଟଣା ଥିଲା ଏପରି । ଗୁରୁବାର ଅପରାହ୍ନ ସାଢେ ୪ଟା ସମୟ । ଚୌବେପୁରର ଏକ ସରକାରୀ କାର୍ଯ୍ୟାଳୟ । କାମ ନକରି ଆରାମ କରୁଥିଲେ ସରକାରୀ ବାବୁ । ଏହି ସମୟରେ କାର୍ଯ୍ୟାଳୟ ଭିରତକୁ ପଶିଥିଲା ଏକ ଛେଳି । ଆଉ ପାଟିରେ ଏକ ଫାଇଲ କାମୁଡି ବାହାରି ବାହାରକୁ ଆସିଥିଲା । ଏହି ସମୟରେ ଜଣେ କର୍ମଚାରୀଙ୍କର ଆଖି ପଡିଯିବାରୁ ଛେଳିକୁ ଧରିବାକୁ ଦୌଡିଥିଲେ । ହେଲେ ତାଙ୍କୁ ଦେଖି ଦୌଡିବାକୁ ଲାଗିଥିଲା ଛେଳି । ତା ପଛରେ ଜୋରରେ ଦୌଡିଥିଲେ ସରକାରୀ କର୍ମଚାରୀ ଜଣକ । କାର୍ଯ୍ୟାଳୟ ବାହାରେ ଥିବା ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ଭିଡିଓ କରି ସେୟାର କରିବା ପରେ ଚାରିଆଡେ ଏହା ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ । ସରକାରୀ କର୍ମଚାରୀଙ୍କ ଏପରି ବେପରୁଆ କାର୍ଯ୍ୟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବା ସହ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।