ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଥିବା ଯୁବକଙ୍କ ହତ୍ୟା, ମର୍ଡର ପଛରେ ରହିଛି କି ଭାଇରାଲ ଭିଡ଼ିଓର ସର୍ମ୍ପକ ?

34

କନକ ବ୍ୟୁରୋ : କୁଆଖାଇ ନଦୀପଠାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ମୃତ ଯୁବକ ଜଣଙ୍କ ଗତବର୍ଷ ଜଣେ ଯୁବତୀଙ୍କ ଭିଡିଓକୁ ଭାଇରାଲ କରି ଜେଲ ଯାଇଥିଲେ । ଆଉ ଏହି ହତ୍ୟାକାଣ୍ଡ ପଛରେ ସେହି ଭାଇରାଲ ଭିଡିଓର ଲିଙ୍କ ଥିବା ନେଇ ସନ୍ଦେହ କରାଯାଉଛି । ପରିବାର ଲୋକ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିବା ବେଳେ ପୁଲିସର ତଦନ୍ତ ଜାରି ରହିଛି ।

ପ୍ରେମିକା ସହ ଧୋକା କରି ବଜାରରେ ତାର ଇଜ୍ଜତକୁ ନିଲାମ କରିଥିବା ଯୁବକର ବି ଦୁଖଃଦ ଅନ୍ତ ଘଟିଛି । ଇଏ ଏକ ଏମିତି କାହାଣୀ- ଯିଏ ତାକୁୁ ଶୁଣିବ- କଣ ନିର୍ଯ୍ୟାସରେ ପହଂଚିବ ତାହାବି ଭାବି ପାରିବନି । ବନ୍ଦ କୋଠରୀର ପ୍ରେମକାର ସହ ବିତାଇଥିବା ଅନ୍ତରଙ୍ଗ ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଥିଲା ପ୍ରେମିକ । ଦୃଶ୍ୟରେ ଥିଲେ ପ୍ରେମିକ ଓ ପ୍ରେମିକା । ଆଉ ଚାହୁଁ ଚାହୁଁ ଭାଇରାଲ ହୋଇଗଲା ପ୍ରେମିକ ଓ ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୁର୍ତର ଭିଡିଓ । ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲିବା ପରେ, ସାରା ରାଜ୍ୟର ଗଳି କନ୍ଦିରେ ପଂହଚିବାକୁ ବେଶି ସମୟ ଲାଗି ନଥିଲା । ଭୂୁବନେଶ୍ୱର ବିଜେବି ନଗରରେ ରହୁଥିବା ସେହି ପ୍ରେମିକ ଜଣକ ଥିଲେ ଉନ୍ମୟ ପାଢୀ ।

ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ, ୨୦୧୭ ମସିହାରେ ସେ ଜେଲଦଣ୍ଡ ଭୋଗିଥିଲେ । ପୁଣି ଜେଲରୁ ଫେରିବା ପରେ, ସେହି ଭିଡିଓକୁ ସେ ଆଉଥରେ ଭାଇରାଲ କରିଥିବାର ଅଭିଯୋଗ ଆସିଲା । ୨୧ ମାର୍ଚ୍ଚ ୨୦୧୮ । ଭୁବନେଶ୍ୱରର କୁଆଖାଇ ନଦୀପଠାରେ ମିଳିଲା ଉନ୍ମୟ ପାଢୀଙ୍କ ମୃତଦେହ । ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯାଇଛି । ପେଟରେ ରକ୍ତ ଭିଜା ଛୁରୀ ଲାଗି ରହିଥିବା ବେଳେ, ପାଟିରେ ଇଟା ଭର୍ତୀ କରାଯାଇଛି । ଆଉ କାଳେ ସେ ବଂଚିଯିବ ସେଥିପାଇଁ ତାଙ୍କୁ ନିଆଁ ଲଗାଇ ପୋଡି ଦିଆଯାଇଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଅନ୍ୟପଟେ ପୁର୍ବ ଶତୃତାକୁ କେନ୍ଦ୍ର କରି ଉନ୍ମୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । କହିଛନ୍ତି ଭିଡିଓରେ ଥିବା ପ୍ରେମିକା ଜଣକ ହିଁ ଉନ୍ମୟଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଛନ୍ତି ।

କିଏ ଆଉ କେମିତି କଲା ଉନ୍ମୟଙ୍କ ହତ୍ୟା ? ଉନ୍ମୟଙ୍କ ହତ୍ୟା ପଛରେ କଣ ଥାଇ ପାରେ କାରଣ ? ଭାଇରାଲ ଭିଡିଓ ପ୍ରତିଶୋଧର ଝଡ ହୋଇ ଉନ୍ମୟଙ୍କ ବଦଲା ନେଇନି ତ ? ଏଭଳି କିଛି ଅସମାହିତ ପ୍ରଶ୍ନର ଉତର ଖୋଜୁଛି ପୁଲିସ ।