କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ଚର୍ଚ୍ଚାର କାରଣ କୌଣସି ରାଜନୈତିକ କିମ୍ବା କୁଟନୀତି ପ୍ରସଙ୍ଗ ନୁହେଁ । ନିଜ ଭାଷଣ ପାଇଁ ଖବରର ଶିରୋନାମା ପାଲଟିଛନ୍ତି ଆମେରିକା ରାଷ୍ଟ୍ରପତି । ଲଗାତାର କିଛି ଦନ ହେବ ବାଇଡେନଙ୍କ ଭାଷଣରେ ତ୍ରୁଟି ଦେଖିବାକୁ ମିଳୁଛି । ନିକଟରେ ଠିକ ସେଭଳି କିଛି କହି ସମାଲୋଚନା ଘେରକୁ ସେ ଆସିଛନ୍ତି  । ନିକଟରେ ଏକ ବିଶ୍ୱବିଦ୍ୟାଳୟରେ ପହଁଚି ବାଇଡେନ ‘ଗନ କଲଚର’ ଉପରେ ଭାଷଣ ଦେଉଥିଲେ । ଭାଷଣ ଶେଷ କରିବା ପୂର୍ବରୁ ବାଇଡେନ କହିଥିଲେ ‘ଇଶ୍ୱର ରାଣୀଙ୍କୁ ରକ୍ଷା କରନ୍ତ’ୁ । ରାଷ୍ଟ୍ରପତିଙ୍କ ଏହି କିଛି ସେକେଣ୍ଡର କଥା ଭାଇରାଲ ହେବା ସହ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । କିଛି ଦିନ ପୂର୍ବରୁ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବାଇଡେନ କହିଥିଲେ ଆମେରିକା ସରକାର ପ୍ରଶାନ୍ତ ମହାସାଗରୁ ଭାରତ ମହାସାଗରରୁ ରେଳପଥ ନିର୍ମାଣ ଯୋଜନା କରିବେ । ଏଥିସହ ସେ କହିଥିଲେ କି ସେ ବିନା ଲେଖାରେ ଭାଷଣ ଦେଉଛନ୍ତି ହୁଏତ କିଛି ତ୍ରୁଟି ରହିପାରେ । । ସେଠାରେ ଉପସ୍ଥିତ ଥିବା ଲୋକ ବାଇଡେନଙ୍କ କଥା ଶୁଣି ହସିଥିଲେ । କିଛି ଦିନ ପୂର୍ବରୁ କାନାଡା ସଂସଦରେ ଭାଷଣ ଦେବା ସମୟରେ କାନାଡାର ପ୍ରଂଶସା କରିବା ବଦଳରେ ଭୁଲବଶତ ସେ ଚୀନର ପ୍ରଶଂସା କରିଥିଲେ । ପରେ ଏନେଇ ସେ କ୍ଷମା ମଧ୍ୟ ମାଗିଥିଲେ  । ଏହା ପୂର୍ବର ଉପରାଷ୍ଟ୍ରପତି କମଲ ହ୍ୟାରିସଙ୍କୁ ଫାଷ୍ଟଲେଡି କହି କଟାକ୍ଷର ଶିକାର ହୋଇଥିଲେ ଜୋ ବାଇଡେନ । ସେହପରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନାଁକୁ ଭୁଲଭାବେ ଉଚ୍ଚାରଣ କରି ଖବରରେ ରହିଥିଲେ ଆମେରିକା ରାଷ୍ଟ୍ରପତି ।