କନକ ବ୍ୟୁରୋ : ପୁଣି ପୁରୀ ଶ୍ରୀମନ୍ଦିରର ଭିଡ଼ିଓ ଭାଇରାଲ । ମନ୍ଦିର ନିକଟରେ ଥିବା ୱାଚ୍ ଟାୱାରରେ ଚଢ଼ିଲେ ୪ ବିଦେଶିନୀ । ୱାଚ ଟାୱାରରେ ଚଢ଼ିବା ସହ କୋଇଲି ବୈକୁଣ୍ଠ ଓ ବିଭିନ୍ନ ନିଷିଧାଂଚଳର ଭିଡ଼ିଓ ଓ ଫଟୋ ଉତୋଳନ କରିଥିବା କୁହାଯାଉଛି । ସୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁ ବାରମ୍ବାର ଏଭଳି ଦେଖିବାକୁ ମିଳୁଛି । ଶ୍ରୀମନ୍ଦିରର ଉତର ପଶ୍ଚିମ କୋଣରେ ଥିବା ୱାଚ ଟାୱାରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ହେଲେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ପରିସର ଭିତରକୁ ମୋବାଇଲ କିମ୍ବା କ୍ୟାମେରା ନେବା ମନା ।

Advertisment

ଭାଇରାଲ ଭିଡିଓରେ ଥିବା ୪ ଜଣ ବିଦେଶିନୀ କ୍ୟାମେରା କିମ୍ବା ମୋବାଇଲ ଶ୍ରୀମନ୍ଦିର ଭିତରକୁ ନେଇ ପାରିଲେ କେମିତି ? ଏହାଛଡା ୱାଚ ଟାୱାର ଉପରକୁ ଯିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ । ତେବେ ବିଦେଶିନୀମାନେ କିପରି ୱାଚ ଟାୱାର ଉପରକୁ ଚଢିଲେ ? ସେମାନଙ୍କୁ ଛାଡିଲା କିଏ ? ଏସବୁ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କିମାରୁଛି । କିଛି ଦିନ ହେବ କ୍ରମାଗତ ଭାବେ ଶ୍ରୀମନ୍ଦିରର ଭିତର ବେଢ଼ାର ଦୃଶ୍ୟ ମଧ୍ୟ ଭାଇରାଲ ହେବାର ଲାଗିଛି ।