ଜିଲ୍ଲା ପରିଷଦ ଆସନରେ ୨୯୮ ସ୍ୱାଧୀନ ପ୍ରାର୍ଥୀ । କେଉଁ ଦଳର ବିଦ୍ରୋହୀ, ସେନେଇ ବଢିଲା ଚର୍ଚ୍ଚା ।

152

କନକ ବ୍ୟୁରୋ: ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନୀ ମଇଦାନରେ ଅଛନ୍ତି ୨୯୮ସ୍ୱାଧୀନ ପ୍ରାର୍ଥୀ । ଚର୍ଚ୍ଚା ହେଉଛି ବିଭିନ୍ନ ରାଜନୈତିକ ଦଳର ବିଦ୍ରୋହୀ ପ୍ରାର୍ଥୀ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ଏବେ ସ୍ୱାଧୀନ ଭାବେ ଲଢୁଛନ୍ତି । ତେବେ କେଉଁ ଦଳର ଏହି ବିଦ୍ରୋହୀ ପ୍ରାର୍ଥୀ, କେଉଁ ରାଜନୈତିକ ଦଳ ପାଇଁ ଏମାନେ ଅଡୁଆ ସୃଷ୍ଟି କରିପାରନ୍ତି ।

ପଞ୍ଚାୟତ ଅଙ୍କ ବିଗାଡିବେ କି ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ? ୨୯୮ ସ୍ୱାଧୀନ ପ୍ରାର୍ଥୀ କାହାର? ବିଜେଡି, ବିଜେପି ନା କଂଗ୍ରେସର? ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ମୋଟ ୮୫୨ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୮୫୧ ଜୋନରେ ମୈଦାନକୁ ଓହ୍ଲାଇଛି । ସେହିପରି ବିଜେପି ୮୪୮ ଜୋନ ଓ କଂଗ୍ରେସ ୮୩୬ ଜୋନରେ ଲଢେଇ କରୁଛନ୍ତି । କିନ୍ତୁ ବିଦ୍ରୋହୀ ୨୯୮ ସ୍ୱାଧୀନ ପ୍ରାର୍ଥୀ ଉଭୟ ବିଜେଡି ଓ ବିଜେପି ପାଇଁ କଣ୍ଟା ସାଜିଛନ୍ତି । ଆଉ ହିସାବ କରାଯାଇଥିବା ପଞ୍ଚାୟତ ଗଣିତକୁ ଓଲଟ ପାଲଟ କରିପାରନ୍ତି ଏହି ସ୍ୱାଧୀନ ପ୍ରାର୍ଥୀ । ତେଣୁ ପ୍ରଶ୍ନ ଉଠୁଛି, ଏହି ସ୍ୱାଧୀନ ପ୍ରାର୍ଥୀ କାହାର ?

ଏହି ପ୍ରସଙ୍ଗରେ ବିଜେଡି କହିଛି ବିଦୋହୀଙ୍କୁ ମନାଇବାରେ ସମର୍ଥ ହୋଇଛି ଦଳ । ବିଜେଡିରୁ କେହି ସ୍ୱାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇନାହାନ୍ତି । ବିଜେଡିକୁ ହିଁ ଲୋକମାନେ ଭୋଟ ଦେବେ ବୋଲି ଦଳର ନେତ୍ରୀ ତଥା ବିଜେଡି ଉପ-ସଭାନେତ୍ରୀ ପ୍ରମିଳା ମଲ୍ଲିକ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ତେବେ ପ୍ରାର୍ଥୀଙ୍କୁ ନେଇ ଅଙ୍କକଷା ମଧ୍ୟରେ କିଏ କେତେ ସିଟରେ ଜିତିବ ସେନେଇ ମଧ୍ୟ ଆକଳନ ଚାଲିଲାଣି । ବିଜେଡି କହିଛି, ୮ ଶହରୁ ଅଧିକ ଆସନରେ ଜିତିବ କିନ୍ତୁ ବିଜେପି କହିଛି, ଦଳ ଚଳିତ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟରୁ ପ୍ରଥମକୁ ଆସିବ । ସେପଟେ କଂଗ୍ରେସ କହିଛି ଗତଥର ଅପେକ୍ଷା ଭଲ ପ୍ରଦର୍ଶନ କରିବ ଦଳ ।

ତିନି ଦଳ ମାନନ୍ତୁ କି ନ ମାନନ୍ତୁ, ନିର୍ବାଚନ ମୈଦାନରେ ଥିବା ୨୯୮ ସ୍ୱାଧୀନ ପ୍ରାର୍ଥୀ ନିଜ ଦଳ ବିରୋଧରେ ହିଁ ଲଢୁଛନ୍ତି । ନିର୍ବାଚନ ପାଇଁ ଆହୁରି ୧୫ରୁ ଅଧିକ ଦିନ ବାକି ଥିବାବେଳେ ଅଧିକାଂଶକୁ ମନେଇବା ପାଇଁ ଭିତିରିଆ ଉଦ୍ୟମ କରାଯାଉଛି ।