କନକ ବ୍ୟୁରୋ: ଘରେ ଘରେ ବ୍ୟାପିଚାଲିଛି ଭାଇରାଲ ଜ୍ୱର । ରୋଗୀଙ୍କ ପାଖରେ ଥଣ୍ଡା, କାଶ ସହ ବାନ୍ତି ଓ ଜ୍ୱର ଭଳି ଲକ୍ଷଣ ପ୍ରକାଶ ପାଉଛି । ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଏମିତି ହେଲାଣି ଯେ, କ୍ୟାପିଟାଲ ହସ୍ପିଟାଲ ଓପିଡିରେ ପ୍ରତିଦନ ଦେଢ଼ଶହରୁ ଅଧିକ ରୋଗୀଙ୍କ ଲମ୍ବା ଲାଇନ୍ ଲାଗୁଛି । ସେପଟେ ଡାକ୍ତରଙ୍କ ପରାମର୍ଶ ହେଲା, ଜ୍ୱର ହେଲେ ଡେରି ନକରି କରାଇ ନିଅନ୍ତୁ ଡେଙ୍ଗୁ ପରୀକ୍ଷା ।

Advertisment

ଜ୍ୱର ଆସୁଛି, ମୁଣ୍ଡ ବିନ୍ଧୁଛି, ଦେହ ହାତ ଦରଜ ହେଉଛି । ଏମିତି ଲକ୍ଷଣ ଏବେ ଓଡିଶାର ଘରେ ଘରେ ଲୋକଙ୍କଠାରେ ଦେଖିବାକୁ ମିଳୁଛି । ଏମିତିକି ଲୋକଙ୍କ ମନରେ ଅଜଣା ଭୟ, ହଠାତ୍ ଏମିତି ହେଉଛି କାହିଁକି ।

ରାଜ୍ୟର ବିଭିନ୍ନ ଅଂଚଳ ସହ ରାଜଧାନୀ ଭୁବନେଶ୍ୱରରେ ଏବେ ଘରେ ଘରେ ଜ୍ୱର, ଥଣ୍ଡା, କାଶ ଦେଖିବାକୁ ମିଳୁଛି । ଏମିତିକି ଜ୍ୱର, ସାତରୁ ଦଶ ଦିନ ରହୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ବିଶେଷଜ୍ଞ ଡାକ୍ତରଙ୍କ ଅନୁସାରେ, ରାଜ୍ୟ ସାରା ଏବେ ଭାଇରାଲ ଜ୍ୱର ବ୍ୟାପିଛି ।

ଲୋକଙ୍କଠାରେ ଦେଖାଯାଉଥିବା ଲକ୍ଷଣ
୧୦୦ ରୁ ୧୦୩ ଜ୍ୱର
ଭୀଷଣ ମୁଣ୍ଡ ବିନ୍ଧା
କାଶ
ଆଖି ଲାଲ୍ ପଡ଼ିବା
ବାନ୍ତି ହେବା
ଦେହ ନାଲି ପଡ଼ିବା

ବିଶେଷଜ୍ଞ ଡାକ୍ତରମାନେ ଏହା ପଛରେ କଣ କାରଣ ଥାଇପାରେ ତାକୁ ବର୍ଣ୍ଣନା କରିଛନ୍ତି ।

୧. ରାଜ୍ୟ ସାରା ଡେଙ୍ଗୁ ବ୍ୟାପିଛି
୨. ଋତୁ ପରିବର୍ତ୍ତନ ପାଇଁ ଜ୍ୱର ଆସୁଛି
୩. ଇନଫ୍ଲୁଏଞ୍ଜା ଭାଇରସ ଏକ କାରଣ ହୋଇପାରେ
୪. ସାମାନ୍ୟ ଥଣ୍ଡା ଜ୍ୱର

ଡାକ୍ତରମାନଙ୍କ ତରଫରୁ କିଛି ସତର୍କବାଣୀ ମଧ୍ୟ ଦିଆଯାଇଛି
- ସବୁ ଭାଇରାଲ ଫିଭର ଡେଙ୍ଗୁ ନୁହେଁ
- ଜ୍ୱର ହେଲେ ଡେଙ୍ଗୁ ପରୀକ୍ଷା କରାଇନିଅନ୍ତୁ
- ଭୀଷଣ ଜ୍ୱର ସହ ବାନ୍ତି ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
- ବର୍ଷା ଚାଲିଥିବାରୁ ଫୁଟା ପାଣି ପିଅନ୍ତୁ
- ମାସ୍କର ବ୍ୟବହାର କରିପାରିଲେ ଭଲ

ଭୁବନେଶ୍ୱରରେ ଭାଇରାଲ ଜ୍ୱର ଅଧିକ ବ୍ୟାପୁଛି । ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲକୁ ୧୫୦ରୁ ଅଧିକ ରୋଗୀ ଆସୁଛନ୍ତି । ବିଭିନ୍ନ ପ୍ରକାରର ଭାଇରସ ରୋଗୀ ଆସୁଥିବାରୁ ଓ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲ କର୍ତୃପକ୍ଷଙ୍କ ଚିନ୍ତା ବଢିଛି ।