ଡରାଉଛି, ଡେଇଁ ଚାଲିଛି ଅଜଣା ଜର । ୯୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା ।

342

କନକ ବ୍ୟୁରୋ: ଉତ୍ତର ପ୍ରଦେଶରେ ଭାଇରାଲ ଜ୍ୱରର ପ୍ରକୋପ ବଢିବାରେ ଲାଗିଛି । ସାରା ରାଜ୍ୟରେ ଏ ପର୍ଯ୍ୟନ୍ତ ୯୦ରୁ ଅଧିକ ଜଣ ଆକ୍ରାନ୍ତ ପ୍ରାଣ ହରେଇ ଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶ ଫିରୋଜାବାଦରୁ ହିଁ ସର୍ବାଧିକ ୫୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ମୃତକଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ଅଧିକ ରହିଛି । ଫିରୋଜାବାଦ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଏବେ ଦିଲ୍ଲୀ, ମଧ୍ୟପ୍ରଦେଶ ଓ ବିହାର ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି ।

ଉତ୍ତରପ୍ରଦେଶରେ ଭାଇରାଲ ଜ୍ୱରର ଆତଙ୍କ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କ ଚିନ୍ତା ବଢିଛି । ଭାଇରାଲ ସଂକ୍ରମଣ ଓ ଡେଙ୍ଗୁ ବ୍ୟାପୁଥିବା ଆଶଙ୍କା ବଢୁଛି । ସଂକ୍ରମଣକୁ ରୋକିବାରେ କୌଣସି ଉପାୟ କାମ ଦେଉନାହିଁ । ୟୁପିର ଫିରୋଜାବାଦ ସମେତ କାସଙ୍ଗଜ, ଏଟା, ମଥୁରା, ମିରଟ, ପ୍ରୟାଗରାଜ, ବାରଣାସୀ ଓ ଫରୁଖାବାଦରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ସ୍ୱାସ୍ଥ୍ୟ ବିଭାଗ ଏନେଇ ବ୍ୟାପକ ପ୍ରସ୍ତୁତି କରିଛି । ଗାଁ ଗାଁରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରି ଟେଷ୍ଟିଂ ଓ ଔଷଧ ବଂଟନ ବ୍ୟାପକ କରାଯାଇଛି । କିନ୍ତ ଏହା ସତ୍ୱେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢୁଛି । ଫିରୋଜାବାଦରେ ପ୍ରାୟ ୫୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଉତ୍ତରପ୍ରଦେଶ ପରେ ଦିଲ୍ଲୀରେ ଦ୍ରୁତଗତିରେ ବଢୁଛି ସଂକ୍ରମଣ । ଦିଲ୍ଲୀର ପଟେଲନଗର ସ୍ଥିତ ବିଏଲକେ ଡାକ୍ତରଖାନାରେ ପ୍ରତି ୧୦ଜଣ ଶିଶୁରୁ ୬ଜଣ ଏହି ଜ୍ୱରରେ ପୀଡିତ । ସାର ଗଙ୍ଗାରାମ ହସ୍ପିଟାଲର ଓପିଡିରେ ମଧ୍ୟ ୮୦ପ୍ରତିଶତ ଶିଶୁ ଭାଇରାଲରେ ପୀଡିତ । ବିହାରରେ ମଧ୍ୟ ଏହି ସଂକ୍ରମଣ କାୟା ବିସ୍ତାର କରିଚାଲିଛି । ବିହାରର ପାଟଣା, ଛପରା, ଗୋପାଲଗଞ୍ଜ ଓ ସାରଣ ଜିଲ୍ଲାରେ ସଂକ୍ରମଣ ବ୍ୟାପି ସାରିଛି । ସାରଣ ଜିଲ୍ଲାରେ ଭାଇରଲ ଜ୍ୱରରେ ପୀଡିତ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ୟୁପିର ପଡୋଶୀ ରାଜ୍ୟ ମଧ୍ୟପ୍ରଦେଶରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି ଭାଇରାଲ ସଂକ୍ରମଣ । ଗ୍ୱାଲିଅର ସହରରେ ସଂକ୍ରମଣ ଲଗାତାର ଭାବେ ବଢୁଛି । ଭାଇରାଲ ଜ୍ୱର ଓ ଡେଙ୍ଗୁରେ ଆକ୍ରାନ୍ତ ଥିବା ୩୦ରୁ ଅଧିକ ଶିଶୁ ଜୟାରୋଗ୍ୟ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଅନେକ ସ୍ଥାନରେ ଶିଶୁଙ୍କ ମଧ୍ୟରେ ଜ୍ୱର, ଥଣ୍ଡା ଓ କାସ ଭଳି ଲକ୍ଷଣ ଦେଖିବାକୁ ମିଳିଛି । ଫଳରେ ଡାକ୍ତରଖାନାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।