ନୂଆ ମୋଡ଼ ନେଲା ଭାଇରାଲ ଅଡିଓ ବିବାଦ ଘଟଣା । ବିଚାର ବିଭାଗୀୟ ହେପାଜତକୁ ଗଲେ ଭାଇରାଲ ଅଡିଓରେ କଣ୍ଠସ୍ୱର ଥିବା ଦୁଇ ଅଭିଯୁକ୍ତ । ୩ ଦିନିଆ ରିମାଣ୍ଡ ପାଇଁ ପୁଲିସକୁ କୋର୍ଟଙ୍କ ଅନୁମତି । ମାନହାନୀ ମକଦ୍ଦମା କଲେ ହାଇଟେକ୍ ଓ ସମ୍ କୋଭିଡ୍ ହସ୍ପିଟାଲ କର୍ତ୍ତୃପକ୍ଷ, ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲା କିମ୍ସ

940

କନକ ବ୍ୟୁରୋ: ମହାମାରୀ ସମୟରେ ସାମ୍ନାକୁ ଆସିଥିବା ଏକ ଭାଇରାଲ ଅଡିଓ ଏବଂ ଅଡିଓରେ କଣ୍ଠସ୍ୱର ଥିବା ଦୁଇ ବନ୍ଧୁଙ୍କ କଥାବାର୍ତା, ଏତେ ବଡ଼ ବିବାଦ ତିଆରି କରିବ ହୁଏତ ଅଡିଓ ରେକର୍ଡିଂ ସମୟରେ କେହି କଳ୍ପନା ବି କରିନଥିବେ । ବିଶେଷ କରି ଯେତେବେଳେ ଏହି ଭାଇରାଲ ଅଡିଓ ଏକ ଘରୋଇ ଚ୍ୟାନେଲର ଡିଜିଟାଲ ପ୍ଲାଟଫର୍ମରେ ବହୁଳ ଭାବରେ ପ୍ରସାରିତ ହୋଇଥିଲା, ଠିକ୍ ସେତେବେଳେ ଏହାକୁ ନେଇ ଆପତି ଉଠାଇଥିଲା ଭୁବନେଶ୍ୱର ମହାନଗର ନିଗମ । ଆଉ ତାହା ଏବେ ଭିନ୍ନ ଏକ ମୋଡ଼ ନେଇଛି ।

ପୁଲିସ୍ ହେପାଜତରେ ବାର୍ତ୍ତାଳାପରେ ଥିବା ଦୁଇ ବ୍ୟକ୍ତି । ୩ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସକୁ ଅନୁମତି । କ୍ୟାପିଟାଲ ଥାନାରେ ହୋଇଥିବା ମାମଲା ଅଧାରରେ କୋଭିଡ୍ ହସ୍ପିଟାଲର ବ୍ୟବସ୍ଥା, ଅବ୍ୟବସ୍ଥା ଏବଂ ଚିକିତ୍ସା ସମ୍ପର୍କରେ କଥା ହେଉଥିବା ଦୁଇ ବନ୍ଧୁଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ଗିରଫ ଦୁଇଜଣ ହେଲେ ବିଶ୍ୱଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା । ଏମାନଙ୍କ ମଧ୍ୟରେ କେବୁଲ ନେଟୱର୍କ ସଂସ୍ଥା ଓରଟେଲ କମ୍ୟୁନିକେଶନର ଜଣେ କର୍ମଚାରୀ ଅଛନ୍ତି । ଆଉ ଏହି ଦୁଇ ଜଣଙ୍କୁ କୋର୍ଟରେ ହାଜର କରିବା ପରେ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।

୨ ଜଣଙ୍କୁ ପଚରାଉଚରା ପରେ ପୁଲିସ କହିଛି, ଭାଇରାଲ ଅଡିଓ କ୍ଲିପକୁ ତିଆରି କରାଯାଇଥିଲା । ତିଆରି କରିବା ପରେ ଏହାକୁ ଭାଇରାଲ କରାଯାଇଥିଲା । ପ୍ରସ୍ତୁତ କରି ଏଡିଟ କରାଯାଇ ଉଦ୍ଦେଶ୍ୟମୂଳକ ଭାବେ ଏହି ଅଡିଓ ଭାଇରାଲ ହୋଇଛି । ଏପଟେ ସଂପୃକ୍ତ ଟିଭି ଚ୍ୟାନେଲ ବିରୋଧରେ ଆଇନର ଆଶ୍ରୟ ନେବା ସହ ମାନହାନୀ ମକଦ୍ଦମା ଗ୍ରହଣ କରାଯିବ ବୋଲି ସୋଆ କର୍ତୃପକ୍ଷ କହିଛନ୍ତି । ସେହିପରି କିମ୍ସ କୋଭିଡ୍ ହସ୍ପିଟାଲର ମୁଖ୍ୟ କହିଛନ୍ତି- ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମ କୋଭିଡ୍ ହସ୍ପିଟାଲ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି । ଏପଟେ ହାଇଟେକ୍ ମେଡ଼ିକାଲ ପକ୍ଷରୁ କୁହାଯାଇଛି- କରୋନା ଯୋଦ୍ଧାଙ୍କୁ ନିରୁତ୍ସାହିତ କରାଯାଉଛି ।

ଏପଟେ ଓରଟେଲର ବରିଷ୍ଠ ଅଧିକାରୀ କହିଛନ୍ତି-ଗିରଫଦାରୀ କିମ୍ବା ଅଟକ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ । ତେବେ ଏହି ଭାଇରାଲ ଅଡିଓ ଟେପ୍ ଡିଜିଟାଲ ମିଡ଼ିୟମରେ ପ୍ରସାରଣ ପରେ, କରୋନା ନେଇ ମିଥ୍ୟା ଖବର ପ୍ରସାରଣ କରିବା ଅଭିଯୋଗରେ ସଂପୃକ୍ତ ଘରୋଇ ଚ୍ୟାନେଲ ବିରୋଧରେ ଶୁକ୍ରବାର ଥାନାରେ ମାମଲା ରୁଜୁ କରିଥିଲା ବିଏମସି । ଏଥି ସହ ସେହି ଟିଭି ଚାନେଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଥିଲା । ଆଉ ପୁରା ମାମଲାରେ ସ୍ପଷ୍ଟିକରଣ ରଖି ସଂପୃକ୍ତ ଚ୍ୟାନେଲ ପକ୍ଷରୁ କୁହାଯାଇଥିଲା- ଏହା ଏକ ଭାଇରାଲ ଅଡିଓ । ଏସମ୍ପର୍କରେ ରାଜ୍ୟ ସରକାର କିମ୍ବା ଅନ୍ୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ । ପ୍ରତିକ୍ରିୟା ହସ୍ତଗତ ହେଲେ, ଆମେ ଏହାକୁ ପୋଷ୍ଟ କରିବୁ ।