ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଭିଆଇପି ନେତାଙ୍କ ଉପରେ ନଜର ! ହେମା ମାଳିନୀ, ରାଜ ବବର, ଫାରୁକ ଅବଦୁଲ୍ଲା, ଜିତେନ୍ଦ୍ର ସିଂ ଓ କାର୍ତି ଚିଦାମ୍ବରମଙ୍କ ଭାଗ୍ୟ ପରୀକ୍ଷା ।

54

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ହେବ । ୧୨ଟି ରାଜ୍ୟର ୯୫ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ତେବେ ଏସବୁ ରାଜ୍ୟରେ କେତେକ ଆସନରେ ଭିଆଇପି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ ଭୋଟର । ଯାହା ଉପରେ ସାରା ଦେଶର ନଜର ରହିଛି । ଆସନ୍ତୁ ଜାଣିବା କେଉଁମାନେ ସେହି ଭିଆଇପି ପ୍ରାର୍ଥୀ, ଆଉ କେଉଁ ସଂସଦୀୟ କ୍ଷେତ୍ରର ଭୋଟର କରିବେ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ ।

ଦେଶର ସବୁଠୁ ବଡ ରାଜ୍ୟ ଉତ୍ତରପ୍ରଦେଶର ୮ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ମଥୁରା ଆସନ ଉପରେ ସମସ୍ତଙ୍କ ନଜର ରହିଛି । ହେମା ମାଳିନୀ ମଥୁରାରୁ ସାଂସଦ ଅଛନ୍ତି ଓ ଦ୍ୱିତୀୟ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ହେମା ମାଳିନୀଙ୍କ ମୁକାବିଲା ଆରଏଲଡିର କୁଅଁର ନରେନ୍ଦ୍ର ସିଂ ଓ କଂଗ୍ରେସର ମହେଶ ପାଠକଙ୍କ ସହ ହେବ ।
ସେହିପରି ୟୁପିର ଫତେପୁର ସିକ୍ରିରୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଠାରେ ଭେଟେରାନ ରାଜ ବବରଙ୍କୁ ଟକ୍କର ଦେଉଛନ୍ତି ବିଜେପିର ରାଜ କୁମାର ଚହଲ ଓ ବିଏସପିର ଭଗବାନ ଶର୍ମା ।

ଦ୍ୱିତୀୟ ପର୍ଯ୍ୟାୟରେ ବିହାରର ୫ଟି ଆସନରେ ମତଦାନ ହେବାକୁ ଥିବା ବେଳେ ଫୋକସରେ ରହିଛି କଟିହାର ଆସନ । ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କଂଗ୍ରେସ ନେତା ତାରିକ ଅନୱର । କଟିହାରରେ ମୁଖ୍ୟତଃ ଏନଡିଏ ପ୍ରାର୍ଥୀ ଦୁଲାଲ ଚନ୍ଦ୍ର ଗୋସ୍ୱାମୀ ଓ ତାରିକ ଅନୱରଙ୍କ ମଧ୍ୟରେ ଟକ୍କର ହେବ ।

ଜମ୍ମୁକଶ୍ମୀରର ୨ଟି ଲୋକସଭା ଆସନରେ ଭୋଟିଂ ହେବାକୁ ଥିବା ବେଳେ ଉଧମପୁର ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଏହି ଆସନରେ ନିର୍ବାଚନ ଲଢୁଛନ୍ତି ବିଜେପିର ହେଭୱେଟ ନେତା ତଥା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । କଂଗ୍ରେସର ବିକ୍ରମାଦିତ୍ୟ ସିଂହ ଓ ପାନ୍ଥର ପାର୍ଟିର ହର୍ଷଦେବ ସିଂହଙ୍କ ସହ ମୁକାବିଲା କରିବେ ଜିତେନ୍ଦ୍ର ।

ସେହିପରି ଶ୍ରୀନଗର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସନାଲ କନଫରେନ୍ସ ଫାରୁକ ଅବଦୁଲ୍ଲା । ଏହି ଆସନରେ ଫାରୁକ ଅବଦୁଲ୍ଲାଙ୍କ ମୁକାବିଲା ହେଉଛି, ବିଜେପିର ଖାଲିଦ ଜାହାଙ୍ଗିର, ପିଡିପିର ଆଗା ମୋହାସୀଣ ଓ ପିପୁଲସ କାନଫ୍ରେନ୍ସ ପ୍ରାର୍ଥୀ ଇରଫାନ ଅନସାରୀଙ୍କ ସହ ।

ସେହିପରି ତାମିଲନାଡୁର ଶିବଗଙ୍ଗା ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମ । ଏଠାରେ ବିଜେପି ପ୍ରାର୍ଥୀ ଏଚ ରାଜାଙ୍କ ସହ ମୁକାବିଲା କରୁଛନ୍ତି କାର୍ତି ଚିଦାମ୍ବରମ ।

ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ୯୫ ଲୋକସଭା ଆସନ ପାଇଁ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି ୧୬୩୮ ଜଣ ପ୍ରାର୍ଥୀ । ଆଉ ମତଦାନ କରି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧.୪୦ କୋଟିରୁ ଅଧିକ ଭୋଟର । ଏଥିରେ ୭୫.୮୩ ଲକ୍ଷ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟର ଅଛନ୍ତି ୬୪.୯୨ ଲକ୍ଷ ।