କନକ ବ୍ୟୁରୋ: ଦିଲ୍ଲୀ ରାସ୍ତାରେ ଗର୍ଜନ । ବିଜେପି ସରକାରଙ୍କ ବିରୋଧରେ ରଣହୁଙ୍କାର । ଶହ ଶହ ସଂଖ୍ୟକ ଆମ ଆଦମୀ ପାର୍ଟି ନେତା, କର୍ମୀ, ସମର୍ଥକ ଏକଜୁଟ ହୋଇ ଗୁରୁବାର ଆନ୍ଦୋଳନ କରିଛନ୍ତି । ବୁଧବାର ଜେରା, ଚଢାଉ ପରେ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ ଗିରଫ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଯାହାକୁ ନେଇ ତାତି ଉଠିଛି ଆମ ଆଦମୀ ପାର୍ଟି । ବିଜେପି ଓ ଆପ କାର୍ଯ୍ୟାଳୟ ନିକଟରେ କର୍ମୀଙ୍କ ପ୍ରଦର୍ଶନ ସମୟରେ ଦିଲ୍ଲୀ ପୁଲିସ ମୁହାଁମୁହିଁ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପ୍ରଦର୍ଶନକାରୀଙ୍କୁ ପୁଲିସ ଘୋଷାଡି ଘୋଷାଡି କିଛିଙ୍କୁ ହାଜତକୁ ନେଇ ପରେ ଛାଡି ଦେଇଛି ପୁଲିସ । ସେପଟେ ରାଜଘାଟ ଯାଇ ଦିଲ୍ଲୀ ଯେ ଆମ ଆଦମୀ ପାର୍ଟି ଶାସନ ମୁକ୍ତ ହେଉ ବୋଲି ପ୍ରାର୍ଥନା କରିଛନ୍ତି ବିଜେପି ନେତା ।

Kanak News is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଚଳିତ ବର୍ଷ ଜାନୁୟାରୀ ମାସରେ ଇଡି ତାର ଚାର୍ଜସିଟରେ ସଂଜୟ ସିଂଙ୍କ ନାଁ ଯୋଡିଥିଲା । ସଂଜୟ ସିଂ ୮୨ଲକ୍ଷ ଟଙ୍କା ଲାଂଚ ନେଇଥିବା ଇଡି ଚାର୍ଜସିଟରେ ଉଲ୍ଲେଖ ଅଛି । ସଂଜୟ ସିଂଙ୍କ ଗିରଫକୁ କେବଳ ଆମ ଆଦମୀ ପାର୍ଟି ନୁହେଁ ଅନ୍ୟ ବିରୋଧୀ ଦଳ ନେତା ମଧ୍ୟ ସହଜରେ ହଜମ କରିପାରୁନାହାଁନ୍ତି । ବିଜେପି ୨୦୨୪ ନିର୍ବାଚନ ହାରୁଥିବା ଜାଣିବା ପରେ ହତାଶ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କହିଛି ଆମ ଆଦମୀ ପାର୍ଟି ।ସେପଟେ ବିଜେପି କହିଛି ଦୁର୍ନିତୀଖୋର ଆପ ସରକାରଙ୍କ ହାତରେ ରହିଛି ଦିଲ୍ଲୀ । ଏହାର କିଙ୍ଗପିନ ହେଉଛନ୍ତି କେଜ୍ରିୱାଲ ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂଜୟଙ୍କ ଘରେ ବୁଧବାର ସକାଳୁ ଇଡି ଚଢ଼ାଉ କରିଥିଲା । ଏହାସହ ୧୦ଘଂଟା ଧରି ସଂଜୟଙ୍କୁ ଜେରା କରିବା ପରେ ରାତିରେ ସଂଜୟଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସେପଟେ ଏକ ଶୁଣାଣୀରେ ବୁଧବାର ସୁପ୍ରିମକୋର୍ଟ କହିଥିଲେ ଇଡି ଯେ ମନମୁଖୀ ଓ ଏକତରଫା କାମ କରୁଛି ।ଯାହା ଆଦୌ ଗ୍ରହଣୀୟ ନୁହେଁ ।