ହିଟ ଆଣ୍ଡ ରନ ଆଇନକୁ ଜୋରଦାର ବିରୋଧ: ୨ୟ ଦିନରେ ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି

272

କନକ ବ୍ୟୁରୋ: ହିଟ ଆଣ୍ଡ ରନ ଆଇନକୁ ଜୋରଦାର ବିରୋଧ । ୨ୟ ଦିନରେ ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି । ରାସ୍ତା ଉପରେ ଗାଡି ଛିଡା କରି କରୁଛନ୍ତି ବିକ୍ଷୋଭ । ସେପଟେ ଅତ୍ୟାବଶକୀୟ ସାମଗ୍ରୀ ପହଁଚି ପାରୁନଥିବାରୁ ଅସୁବିଧାରେ ଗ୍ରାହକ, ବ୍ୟବସାୟ ।

ସୋମବାର ପରେ ମଙ୍ଗଳବାର ଦେଶର ବିଭିନ୍ନ ସହରରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ସ୍ଥାନେ ସ୍ଥାନେ ଛିଡା ହୋଇଛନ୍ତି ଟ୍ରକ, ଡମ୍ପର । ଏହି ଆନ୍ଦୋଳନ ସରକାର ଆଣିଥିବା ନୂଆ ଆଇନ ବିରୋଧରେ । ଯାହା ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ବସ, ଡମ୍ପର ଓ ଟ୍ରକ ଡ୍ରାଇଭର । କେନ୍ଦ୍ର ସରକାର ହିଟ ଆଣ୍ଡ ରନ ଆଇନ ଆଣିଛନ୍ତି । ଯାହାକୁ ବିରୋଧ କରି ସାରା ଦେଶରେ ବସ, ଟ୍ରକ ଓ ଡମ୍ପର ଚାଳକ ଚକା ଜାମ କରିଛନ୍ତି । ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଟ୍ରକ ଡ୍ରାଇଭରମାନେ ମଝି ରାସ୍ତାରେ ଗାଡିକୁ ଅଟକ ରଖି ବିକ୍ଷୋଭ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ବିରୋଧ କରି ଡ୍ରାଇଭରମାନେ ବିରୋଧ କରିବା ସହ ଆକ୍ରୋଶ ପ୍ରକାଶ କରିଛନ୍ତି । ତେବେ ଏହି ଆନ୍ଦୋଳନ ପାଇଁ ପ୍ରବଳ ଟ୍ରାଫିକ ଜାମ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଆନ୍ଦୋଳନ ପାଇଁ ବ୍ୟବସାୟୀଙ୍କ ଉପରେ ମଧ୍ୟ ପ୍ରଭାବ ପଡିଛି । ଫଳ, ପନିପରିବା, କଂଚମାଲା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଠିକ ସମୟରେ ପହଁନଥିବାରୁ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସେପଟେ ଅଏଲ ଟ୍ୟାଙ୍କର ଚାଳକମାନେ ଆନ୍ଦୋଳନରେ ସାମିଲ ହେବା ପରେ ପେଟ୍ରୋଲ ପମ୍ପରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେଇଛି । ସେପଟେ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଛି ।

ନୂଆ ଆଇନରେ ହିଟ ଆଣ୍ଡ ରନ ମାମଲାର ଦୋଷୀଙ୍କ ବିରୋଧରେ କାଡ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି । ଯଦି କୌଣସି ଟ୍ରକ,ବସ ଓ ଡମ୍ପର ଡ୍ରାଇଭର ହିଟ ଆଣ୍ଡ ରନ ମାମଲାରେ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ପାଇଁ ୧୦ବର୍ଷର ଜେଲ ଦଣ୍ଡାଦେଶ ରହିବ । ୭ଲକ୍ଷ ଟଙ୍କା ଜରିମାନ ମଧ୍ୟ ଦେବାକୁ ପଡିବ । ପୂର୍ବରୁ ଦଣ୍ଡାଦେଶରେ କୋହଳ ରହିଥିଲା । କେବଳ ଦୁଇବର୍ଷର ଜେଲ ଦଣ୍ଡାଦେଶ ସହ ଅଳ୍ପଦିନରେ ଦୋଷୀ ଜାମିନରେ ମୁକୁଳିଯାଉଥିଲେ । ନିକଟରେ ସରକାର ନୂଆ ଆଇନ ଆଣିଛନ୍ତି । ତେବେ ଆଇନ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି ।