କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ପୂର୍ଣ୍ଣଛେଦ ପଡିଛି । ଅହେତୁକ ଅନୁକମ୍ପା ପାଇଁ ଦେଶର ସର୍ବୋଚ୍ଚ କୋର୍ଟ ଏନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଜମି ଅଧିଗ୍ରହଣକୁ ବେଆଇନ ବୋଲି କହି ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାର ଓ ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ଆବେଦନ ଖାରଜ ହୋଇଛି । ଆଉ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ସରକାରକୁ ଘେରିଛନ୍ତି ବିରୋଧୀ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଚାଷୀଙ୍କ ଜମି ଲୁଟିବାକୁ ଷଡଯନ୍ତ୍ର ହେଉଥିଲା । ନିର୍ଦ୍ଦିଷ୍ଟ କମ୍ପାନୀ ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା ବାରି ହୋଇପଡିଥିଲା । ପିସିସି ସଭାପତି କହିଛନ୍ତି, ରାଜ୍ୟ ସରକାରଙ୍କ ଉଦ୍ୟମକୁ ଜଗନ୍ନାଥ ପଣ୍ଡ କରିଛନ୍ତି । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦେବା ଉଚିତ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ବିଜେଡି କିନ୍ତୁ କହିଛି, ବିରୋଧୀ ସବୁବେଳେ ବିରୋଧ କଥା କହିବେ । ସରକାର ଲୋକଙ୍କ ସ୍ୱାର୍ଥ ପାଇଁ ଯାହା କରିବା କଥା କରୁଛନ୍ତି ।

Advertisment

ପୁରୀ-କୋଣାର୍କ ମେରାଇନ ଡ୍ରାଇଭର ବେଲଦଳରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୧୫ ହଜାର ଏକର ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବ ରହିଥିଲା । କିନ୍ତୁ ୮ ହଜାର ଏକର ଜମି, ଜମି ମାଲିକ ଓ କୃଷକଙ୍କଠାରୁ ଅଧିଗ୍ରହଣ ହୋଇଥିଲା । ୨୦୦୬ ମସିହାରେ ବିଶ୍ୱବିଦ୍ୟାଳୟ ପାଇଁ ଏମଓୟୁ ସ୍ୱାକ୍ଷର ହେବା ପରଠାରୁ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ୱରେ ଆନ୍ଦୋଳନ କରିଥିଲେ ଲୋକେ । ଏବେ ବିଶ୍ୱବିଦ୍ୟାଳୟ ନିର୍ମାଣ ଉପରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଲୋକଙ୍କୁ ମାଲିକାନା ସତ୍ୱ ଫେରାଇବା ପାଇଁ ଦାବି ଜୋର ଧରିଛି ।

ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ହୋଇଥିଲେ ଏହା ଜଗନ୍ନଥ ସଂସ୍କୃତି ଉପରେ ଓ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଉପରେ ଖରାପ ପ୍ରଭାବ ପକାଇଥାନ୍ତା ବୋଲି ଅଭିଯୋଗ ହୋଇଥିଲା । ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ବିଶ୍ୱବିଦ୍ୟାଳୟ ନିର୍ମାଣ ବାଟ ବନ୍ଦ ହୋଇଯାଇଛି । କିନ୍ତୁ ଅଧଗ୍ରହଣ ହୋଇଥିବା ଜମିକୁ ନେଇ ସରକାର କଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।