ଉତ୍ତରାଖଣ୍ଡରେ ବେଆଇନ ଉଚ୍ଛେଦକୁ ନେଇ ତୁମୁଳକାଣ୍ଡ । ୪ ମୃତ, ଶହେରୁ ଅଧିକ ପୁଲିସ କର୍ମୀ ଆହତ । ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ।

243

କନକ ବ୍ୟୁରୋ: ଉତ୍ତରାଖଣ୍ଡ ହଲଦୱାନୀରେ ବେଆଇନ ଜବରଦଖଲ ଉଚ୍ଛେଦକୁ ନେଇ ତୁମୁଳକାଣ୍ଡ । ହଲଦୱାନୀ ଜିଲ୍ଲା ବନଭୁଲପୁରାରେ ବେଆଇନ ଜବରଦଖଲ ଭଙ୍ଗାକୁ ନେଇ ହିଂସାକାଣ୍ଡ ହୋଇଛି । ଉଚ୍ଛେଦକୁ ବିରୋଧ କରି ପୁଲିସ ଉପରେ ଆକ୍ରମଣ କରିଥିଲେ ଉପଦ୍ରବକାରୀ । ପୁଲିସ ଉପରେ ଟେକା ପଥର ମାଡ଼ କରିବା ସହ ପୁଲିସ ଗାଡ଼ିରେ ନିଆଁ ଲଗାଇଦେଇଥିଲେ । ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅତିରିକ୍ତ ପୁଲିସ ବଳ ନିୟୋଜିତ କରାଯାଇଛି ।

ଉପଦ୍ରବକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହିଂସାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି । ହିଂସା ନିୟନ୍ତ୍ରଣ ବେଳେ ଶହେରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି । ଉତେଜନା ପରେ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି ପ୍ରଶାସନ । ପୁଲିସ ଗାଡ଼ିକୁ ଟେକାପଥର ମାଡ଼ ସହ ଦୁର୍ବୃ୍ତ ଗାଡ଼ି ପୋଡ଼ିଦେଇଥିବା ଅଭିଯୋଗ ହୋଇଛି । ବରିଷ୍ଠ ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ।

ହଲଦୱାନୀ ପୌର ନିଗମ ପକ୍ଷରୁ ବନଭୁଲପୁରା ଥାନା ନିକଟ ମାଲିକ ବଗିଚାରେ ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା । ଏହାକୁ ବିରୋଧ କରି ଉପଦ୍ରବକାରୀ ପୁଲିସ ଉପରେ ଟେକା ପଥର ମାଡ଼ ସହ ଗାଡ଼ି ପୋଡ଼ି ଦେଇଥିଲେ । ଏପରିକି ନିକଟରେ ଥିବା ଏକ ଟ୍ରାନ୍ସଫର୍ମରରେ ମଧ୍ୟ ନିଆଁ ଲଗାଇ ଦେଇଥିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏପରିକି ଥାନା ଘେରାଓ କରିବା ସହ ଥାନାରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ଉପଦ୍ରବକାରୀ ।