ପୋଲିସକୁ ପିଟିଲେ…ବିଡିଓ, ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିଲେ । ହିଂସା ଭିତରେ ଏମିତି ସରିଲା ତୃତୀୟ ପର୍ଯ୍ୟାୟ ଭୋଟ୍ ।

248

କନକ ବ୍ୟୁରୋ : କେବଳ ସାମ୍ବାଦିକଙ୍କୁ ଆକ୍ରମଣ ନୁହେଁ, ଆହୁରି ଅନେକ ସ୍ଥାନରେ ହିଂସାକାଣ୍ଡର ଦୃଶ୍ୟ ସାମ୍ନାକୁ ଆସିଛି । କେନ୍ଦ୍ରାପଡା ରାଜନଗରରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ । ପରିସ୍ଥିତି ଏପରି ହୋଇଥିଲା, ଯେ ଲୋକଙ୍କ କବଳରୁ ରକ୍ଷା ପାଇବା ପାଇଁ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଥିଲା । ଏମିତି ଆହୁରି କିଛି ହିଂସାକାଣ୍ଡ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଖବରର ଶିରୋନାମା ପାଲଟିଥିଲା ।

ବୁଥ ରିଗିଂ…ନିର୍ବାଚନୀ ହିଂସା । ଏହିସବୁ ଘଟଣାରୁ ଜଣାପଡୁଛି କିପରି ହିଂସା ଭିତରେ ସରିଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ପ୍ରଥମ ଦୁଇ ପର୍ଯ୍ୟାୟ ଭଳି ମାରପିଟ୍ ଓ ବୁଥ ରିଗିଂର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି ।

ରାଜନଗରରେ ପୁଲିସକୁ ମାଡ । ରାଜନଗରରେ ଏହି ପରିସ୍ଥିତି ଚିନ୍ତା ବଢ଼ାଇଛି । ପୋଲିସକୁ ଘେରି ଯାଇ ଆକ୍ରମଣ କରିଛନ୍ତି ଗାଁ ଲୋକ । ନିଜକୁ ବଞ୍ଚାଇବାକୁ ଯାଇ ଫାଙ୍କା ଗୁଳିଚାଳନା କରିଛି ପୁଲିସ । ଗୋଖଣି ଗାଁରେ ମତଦାନ ଚାଲିଥିବା ବେଳେ ଜଣେ ବ୍ୟକ୍ତିଙ୍କର ଭୋଟର ଲିଷ୍ଟରେ ନାଁ ନଥିଲା । ସେ ବୁଥ୍ ଭିତରକୁ କାହିଁକି ଆସିଛନ୍ତି, ତାକୁ ନେଇ ବଚସା ହୋଇଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପୁଲିସ ବୁଝାସୁଝା କରୁଥିବା ବେଳେ ପୁଲିସକୁ ଘେରିଯାଇ ମାଡ଼ ମାରିଥିଲେ ଲୋକ ।

ପାଣିରେ ଭାସିଲା ବାଲଟ ପେପର । ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ । ଭଦ୍ରକ ଜିଲ୍ଲାରେ ପାଣିରେ ଭାସିଛି ବାଲାଟ ପେପର । କୋଲହ ପଞ୍ଚାୟତର ୪ ନମ୍ବର ବୁଥରେ ବାଲାଟ ପେପରରେ ଅନିୟମିତତାକୁ ନେଇ ତାତିଛନ୍ତି ଗାଁ ଲୋକ । ମତଦାନ କେନ୍ଦ୍ର ବନ୍ଦ କରିବା ସହ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିଥିଲେ । ଏହାପରେ ପୋଖରୀରେ ଫିଙ୍ଗି ଦେଇଥିଲେ ଭୋଟ ବାକ୍ସ । ଏପରିକି ପୋଲିସ ଗାଡିକୁ ଘଟଣା ସ୍ଥଳକୁ ଛାଡ଼ିନଥିଲେ ଉତ୍ୟକ୍ତ ଲୋକେ ।

ତିହିଡ଼ି ବ୍ଲକରେ ବୁଥ ରିଗିଂ । ଚାଲିଲା ବୋଗସ୍ ଭୋଟିଂ । ଭଦ୍ରକ ତିହିଡି ବ୍ଲକର ୪ ନମ୍ବର ବୁଥରେ ଖୁଲ୍ଲମଖୁଲା ବୁଥ ରିଗିଂ ହୋଇଥିବା ଦେଖିବାକୁ ମିଳିଛି । ଜଣେ ମହିଳା ବୁଥ ଭିତରେ ପ୍ରବେଶ କରି ଅନ୍ୟ ଭୋଟରଙ୍କ ପାଇଁ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମ ପ୍ରତିନିଧି ଏବଂ ଭୋଟର ଏହାକୁ ନେଇ ଆପତି ଉଠାଇବା ପରେ ସମ୍ପୃକ୍ତ ମହିଳା ଜଣଙ୍କ ଧମକ ଦେଇଥିବା ଅଭିଯୋଗ ହୋଇଛି । ସ୍ଥିତି ଏମିତି ଉପୁଜିଲା ଯେ ମହିଳାଙ୍କ ଦୌରାତ୍ମ୍ୟ ଦେଖି ପ୍ରିଜାଇଡିଂ ଅଫିସର ବୁଥ ବାହାରେ ଥିବା ପୁଲିସର ସହାୟତା ଲୋଡିଥିଲେ । ହେଲେ ପୁଲିସ ଅଧିକାରୀ ନୀରବଦ୍ରଷ୍ଟ୍ରା ସାଜିଥିବା ଅଭିଯୋଗ ହୋଇଛି ।

କୋରେଇରେ ବିଡିଓଙ୍କୁ ଆକ୍ରମଣ । ମତଦାନ ଚାଲିଥିବା ବେଳେ ଯାଜପୁର କୋରେଇ ବିଡିଓଙ୍କୁ ଆକ୍ରମଣ ଅଭିଯୋଗ । କୋରେଇ ବ୍ଲକ ଗୋଳେଇପୁର ପଂଚାୟତର ୪ଟି ବୁଥରେ ରିଗିଂ ହୋଇଥିବା ନେଇ ଅଭିଯୋଗ ହେବା ପରେ ସ୍ଥିତି ଦେଖିବାକୁ ଯାଇଥିଲେ ବିଡିଓ । ହେଲେ ବିଡିଓଙ୍କୁ ବି ଛାଡ଼ିନଥିଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ । ସ୍ଥିତି ଅଶାନ୍ତ ହେବାରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ୪ଟି ବୁଥରେ ମତଦାନ ବନ୍ଦ ରହିଛି ।

ନବରଙ୍ଗପୁରରେ ଜାଲିଦେଲେ କାର୍ । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକର ଡଙ୍ଗରା ପଞ୍ଚାୟତରେ କଂଗ୍ରେସ ନେତାଙ୍କ ବାଇକ, କାର ପୋଡିଦେଇଛନ୍ତି ଦୁର୍ବୃତ । ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । କାର ଓ ବାଇକ ପୋଡ଼ି ପାଉଁଶ ହୋଇଯାଇଛି । ଏନେଇ ଥାନାରେ ଅଭିଯୋଗ ହୋଇଛି ।

ବାରିପଦାରେ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ୬ ଘଂଟା ପରେ ଉଦ୍ଧାର କଲା ପୁଲିସ । ବାରିପଦା ବଡ଼ସାହି ବ୍ଲକ ଟଙ୍ଗାସୋଳ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ସରପଞ୍ଚ ପ୍ରାର୍ଥୀ ଦଶରଥ ମୁର୍ମୁଙ୍କୁ ବନ୍ଦ କୋଠରୀରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ଅନ୍ୟ ଗୋଷ୍ଠୀର ସମର୍ଥକ । ଯାହାର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ଦଶରଥ ମୁର୍ମୁଙ୍କୁ ଉଦ୍ଧାର କରିଛି ପୁଲିସ ।

ଅନ୍ଧାରୀବିଜେ ବେଳେ ହଟହଟା ଯୁବକ । ଟଙ୍କା ବାଣ୍ଟିବା ବେଳେ କାବୁ କଲେ ଲୋକ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ଗ୍ରାମ ପଞ୍ଚାୟତରେ ଟଙ୍କା ବାଣ୍ଟିବାକୁ ଯାଇ ହଟହଟା ହୋଇଛନ୍ତି ଯୁବକ । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅନ୍ଧାରୀବିଜେ କରୁଥିବାବେଳେ ୨ ଜଣଙ୍କୁ କାବୁ କରି ରାତିସାରା ଅଟକ ରଖିଥିଲେ ଗାଁ ଲୋକ । ରାୟଗଡ ତହସିଲଦାର ଓ ପୁଲିସ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି ।