ଉତ୍ତେଜନାମୂଳକ ପୋଷ୍ଟ ନେଇ ବେଙ୍ଗଲୁରୁରେ ରାତିଅଧିଆ ହିଂସା: ପୁଲିସ ଗୁଳିରେ ୨ମୃତ, ୬୦ ପୁଲିସ କର୍ମୀ ଆହତ; କିଛି ଥାନା ଅଂଚଳରେ କର୍ଫ୍ୟ. ପୁରା ସହରରେ ୧୪୪ ଧାରା

କଂଗ୍ରେସ ବିଧୟାକଙ୍କ ଘରେ ଆକ୍ରମଣ ଓ ଭଙ୍ଗାରୁଜା

487

କନକ ବ୍ୟୁରୋ: ଉତ୍ତେଜନାମୂଳକ ସୋସିଆଲ ପୋଷ୍ଟକୁ ନେଇ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଗତକାଲି ରାତିରେ ବ୍ୟାପକ ହିଂସାକାଣ୍ଡ ହୋଇଛି । ଉତ୍ୟକ୍ତ ଲୋକଙ୍କୁ କାବୁ କରିବାକୁ ପୁଲିସ ଗୁଳି ଚଳାଇବାରୁ ୨ ଜଣ ପ୍ରାଣ ହରାଇଛନ୍ତି । ଅଚାନକ ସୃଷ୍ଟି ହୋଇଥିବା ହିଂସାରେ ୬୦ ଜଣ ପୁଲିସ କର୍ମଚାରୀ ବି ଆହତ ହୋଇଛନ୍ତି । ବେଙ୍ଗାଲୁରୁର ଦୁଇଟି ଥାନା ଅଂଚଳରେ ଏହି ହିଂସା ହୋଇଛି । ଘଟଣା ପରେ ସଂପୃକ୍ତ ଥାନା ଅଂଚଳରେ କର୍ପ୍ୟୁ ଜାରି ହୋଇଥିବାବେଳେ ବେଙ୍ଗାଲୁରୁ ମହାନଗର ନିଗମରେ ୧୪୪ ଧାରା ଜାରି କରାଯାଇଛି । ଖବର ଅନୁସାରେ, ହିଂସା ସୋସିଆଲ ମିଡିଆରେ ଏକ ଉତ୍ତେଜନାମୂଳକ ପୋଷ୍ଟ ଯୋଗୁଁ ହୋଇଛି ।

ବେଙ୍ଗାଲୁରୁର କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ଭଣଜା ଏହି ବିବାଦୀୟ ପୋଷ୍ଟ କରିଥିଲେ । ପରେ ଏହି ପୋଷ୍ଟକୁ ଡିଲିଟ କରିଦିଆଯାଇଥିଲେ ବି ଏହାପରେ ଲୋକେ ତାତିଥିଲେ । ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଘର ଉପରକୁ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସେହିଭଳି ଦୁଇଟି ଥାନା ଅଂଚଳରେ ବି ଲୋକେ ପ୍ରଦର୍ଶନ କରିଥିଲେ । ଉତ୍ତ୍ୟକ୍ତ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଗୁଳିଚଳାଇବାରୁ ଦୁଇଜଣ ପ୍ରାଣ ହରାଇଛନ୍ତି । ଉତ୍ୟକ୍ତ ଲୋକେ ବି ପୁଲିସକୁ ଟାର୍ଗେଟ କରିଥିଲେ ।

ଏଥିରେ ୬୦ରୁଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଅତିରିକ୍ତ ପୁଲିସ କମିଶନର ବି ଅଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରିଥିବା କଂଗ୍ରେସ ବିଧାୟକଙ୍କ ଭଣଜାକୁ ବି ଗିରଫ କରାଯାଇଛି ଓ ମାମଲା ରୁଜୁ ହୋଇଛି । ବର୍ତମାନ ସୁଦ୍ଧା ଘଟଣାରେ ୧୧୦ ଜଣ ଗିରଫ ହୋଇସାରିଲେଣି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବେଙ୍ଗାଲୁଲୁ ନଗରୀ ପୁଲିସ ଛାଉଣୀରେ ପରିଣତ ହୋଇଛି ।