କନକ ବ୍ୟୁରୋ : ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ପଥର ମାଡ । ଗାଁର ପୁରୁଷ, ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ଆଜି ରାସ୍ତା ଉପରକୁ ବାହାରି ଆସିଥିଲେ । ଏବଂ ଢିଙ୍କିଆ ନିକଟସ୍ଥ ମାହାଳ ଗାଁ ରଣକ୍ଷେତ୍ର ପାଲଟି ଯାଇଥିଲା । ମାହାଳ ଗାଁକୁ ଢିଙ୍କିଆରୁ ଅଲଗା କରି ନୂତନ ଭାବେ ରାଜସ୍ୱ ଗ୍ରାମ କରାଯାଇଛି । ଏବେ ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଦାରଣ କରାଯିବାକୁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଏହି ବିରୋଧ ଦେଖିବାକୁ ମିଳିଛି ।
ଏପଟେ ପୋଲିସ୍, ସେପଟେ ଗାଁ ଲୋକ । ଉଭୟଙ୍କ ହାତରେ ଟେକା । ପରସ୍ପରକୁ ଲକ୍ଷ୍ୟ କରି ଫିଙ୍ଗି ଚାଲିଛନ୍ତି । ମାଡ଼ି ଆସୁଛନ୍ତି ଉତ୍ୟକ୍ତ ଗାଁ ଲୋକ, ଆଉ ପଛଘୁଞ୍ଚା ଦେଉଛି ପୋଲିସ । ବଲିଉଡ୍ ଫିଲ୍ମର ଦୃଶ୍ୟ ପରି ଲାଗୁଥିବା ଏ ଘଟଣା ଆସିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ଗ୍ରାମରୁ ।
ଅଶାନ୍ତ ହୋଇପଡ଼ିଛି ଢିଙ୍କିଆ । ପୋଲିସ୍-ଗ୍ରାମବାସୀ ଛକାପଂଝା । ପୋଲିସ୍ ସହ ପ୍ରଶାସନ ଯେତେବେଳେ ଢିଙ୍କିଆରେ ପହଞ୍ଚିଥିଲା, ଏତେବଡ଼ ବିରୋଧର ସାମ୍ନା କରିବ ବୋଲି ବୋଧହୁଏ ବୁଝିପାରି ନଥିଲା । ସୀମା ନିର୍ଦ୍ଧାରଣ ପାଇଁ ଯାଇଥିବା ପୋଲିସ ଓ ପ୍ରଶାସନର ଜୋରଦାର ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଗାଁର ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏକାଠି ହୋଇ ପୋଲିସକୁ ବିରୋଧ କରିଛନ୍ତି ।
ପାରାଦୀପ ତୈଳ ବିଶୋଧନାଗାରର ପଛପଟ ଢିଙ୍କିଆ ପଞ୍ଚାୟତ ମାହାଳ ଗାଁକୁ ଢିଙ୍କିଆରୁ ଅଲଗା କରି ନୂତନ ଭାବେ ରାଜସ୍ୱ ଗ୍ରାମ କରାଯାଇଛି । ହେଲେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ଜେଏସଡବ୍ଲୁର ପ୍ରକଳ୍ପ ପାଇଁ ପ୍ରଶାସନ ଢିଙ୍କିଆ ପଞ୍ଚାୟତରୁ ମାହାଳ ଓ ପାଟଣା ଗାଁକୁ ଅଲଗା ରାଜସ୍ୱ ଗ୍ରାମ କରିବାକୁ ଚକ୍ରାନ୍ତ ଚଳାଇଛି । ଏହାକୁ ସେମାନେ ପ୍ରଥମରୁ ବିରୋଧ କରିଆସୁଛନ୍ତି ।
ପୂର୍ବରୁ ମଧ୍ୟ ସୀମା ନିର୍ଦ୍ଧାରଣ ପାଇଁ ଅଧିକାରୀ ଆସିଥିବା ବେଳେ ପ୍ରବଳ ବିରୋଧ ଯୋଗୁଁ ଫେରିଯାଇଥିଲେ । ହେଲେ ଏଥର ବ୍ୟାପକ ପୋଲିସ୍ ପ୍ରସ୍ତୁତି ସହ ଆସିଥିଲେ ମଧ୍ୟ ଫଳ ସମାନ ହୋଇଛି । ଗାଁଲୋକଙ୍କ ବିରୋଧ ଯୋଗୁଁ ସୀମା ନିର୍ଦ୍ଧାରଣ କରି ନପାରି ଫେରିଯାଇଛନ୍ତି ଅଧିକାରୀ । ସେପଟେ ପୋଲିସ୍ ଗାଁ ଭିତରେ ପଶି ମାଡ ମାରିବା ସହ ଦୁଇ ଜଣଙ୍କୁ ଉଠାଇ ନେଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ପ୍ରଶାସନ ଓ ଗାଁ ଲୋକଙ୍କ ମଧ୍ୟରେ ଛକାପଂଝା ଜାରି ରହିଥିବା ବେଳେ ଅଶାନ୍ତି ବଢ଼ି ବଢ଼ି ଚାଲିଛି । ତେଣୁ ଲୋକଙ୍କୁ ବୁଝାଇ ଆଗକୁ କାମ ବଢ଼ିବ, ନା ବିରୋଧ ଯୋଗୁଁ ଅଧାରୁ ଅଟକିବ, ଏହା ଏବେ ବଡ଼ ପ୍ରଶ୍ନ ।