ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଉତ୍ତେଜନା ! ୨ ଛାତ୍ରଗୋଷ୍ଠୀ–ପୋଲିସ ମଧ୍ୟରେ ମାରପିଟ୍, ଧସ୍ତାଧସ୍ତି, ୩ ଅଟକ ।

32

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଶାନ୍ତ ରହିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣି ଅଶାନ୍ତ ହୋଇପଡିଛି । ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଉତ୍ତେଜନା । ଦୁଇ ଛାତ୍ର ଗୋଷ୍ଠୀ ଏବଂ ପୋଲିସ ମଧ୍ୟରେ ମାରପିଟ୍ ଏବଂ ଧସ୍ତାଧସ୍ତି ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ୨ ଛାତ୍ରଙ୍କୁ ଅଟକ ରଖିଛି ସହିଦନଗର ପୋଲିସ । କ୍ୟାମ୍ପସରେ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଏବେବି ଚାପା ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁଯାୟୀ, ଆଜି ବିଭିନ୍ନ ଦାବି ନେଇ ବିଶ୍ୱବିଦ୍ୟାଳୟରେ ଥିବା ଫାର୍ମାସୀ ବିଭାଗର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ । ସେହି ସମୟରେ କେତେକ ଅଣଛାତ୍ର ମୁଖ୍ୟଫାଟକ ଖୋଲିବାକୁ ଦାବି କରିଥିଲେ । ଏହା ପରେ ଧାରଣାରତ ଛାତ୍ରମାନେ ଗେଟ୍ ଖୋଲିବାକୁ ମନା କରିଥିଲେ । ଅଣଛାତ୍ରମାନେ ଜୋର ଜବରଦସ୍ତ ଗେଟ୍ ଖୋଲିବାରୁ ଧାରଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିବା ବେଳେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମାଟପିଟ୍ ହୋଇଯାଇଥିଲା । ଏହା ପରେ ପୋଲିସ ସହ ମଧ୍ୟ ସମ୍ପୃକ୍ତ ଛାତ୍ରଗୋଷ୍ଠୀ ଧସ୍ତାଧସ୍ତି ହୋଇଥିଲେ । ଘଟଣାସ୍ଥଳରୁ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି । ତେବେ ସୂଚନା ଅନୁଯାୟୀ, ଦୀର୍ଘ ଦୁଇ ସପ୍ତାହ ଧରି ଧାରଣାରେ ବସିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଫାର୍ମାସି ବିଭାଗର ଛାତ୍ରଛାତ୍ରୀ । ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ ଏବେଠାରୁ ଅଶାନ୍ତ ହୋଇପଡିଲାଣି ବାଣୀବିହାର କ୍ୟାମ୍ପସ ।