ଆଇନ ପ୍ରବେଶିକା ପରୀକ୍ଷା ହଲରେ ଉତ୍ତେଜନା ! ୟୁଏଲସିରେ ପରୀକ୍ଷା ସମୟରେ ଛାତ୍ର ବିଜେଡି ଏବଂ ଏବିଭିପି ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ।

43

କନକ ବ୍ୟୁରୋ : ଗଣ୍ଡଗୋଳ ଏବଂ ମାରପିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ଉତ୍କଳ ବିଶ୍ୱବିଦ୍ୟାଳୟ । ଆଉ କିଛି ଦିନ ପରେ ଛାତ୍ରସଂସଦ ନିର୍ବାଚନ ହେବାକୁ ଯାଉଥିବା ବେଳେ ଉତ୍କଳ ଆଇନ ବିଶ୍ୱବିଦ୍ୟାଳୟରେ ଆଜି ଦେଖାଦେଇଛି ଉତ୍ତେଜନା ମୂଳକ ପରିସ୍ଥିତି । ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ରସଂଗଠନର ଦୁଇ ନେତା ।

ତେବେ ଘଟଣାଟି ହେଉଛି, ଆଜି ଉତ୍କଳ ଆଇନ ବିଶ୍ୱବିଦ୍ୟାଳୟର ୨୦୧୮-୨୧ ଶିକ୍ଷା ବର୍ଷ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଛାତ୍ର ବିଜେଡି ଏବଂ ଏବିଭିପିର କେତେକ ଛାତ୍ର ନେତା ମଧ୍ୟ ପ୍ରବେଶିକା ପରୀକ୍ଷା ଦେଉଥିଲେ । ତେବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ପ୍ରାର୍ଥୀ (ବିଜେଡି ସମର୍ଥିତ) ମୋବାଇଲରେ କପି କରୁଥିବା ନେଇ ଅଭିଯୋଗ ଆଣିଥିଲେ ଏବିଭିପିର ଜଣେ ଛାତ୍ର ନେତା । କିନ୍ତୁ ଅଭିଯୋଗ କରିବା ପରେ ମଧ୍ୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟନୁଷ୍ଠାନ ନନେବାରୁ ଉତ୍ତ୍ୟକ୍ତ ହୋଇଯାଇଥିଲେ ଏବିଭିପିର ଛାତ୍ର ନେତା । ଏପରିକି ପରୀକ୍ଷା ହଲ୍ ଭିତରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଛାତ୍ର ବିଜେଡି ପୂର୍ବତନ ସଭାପତି ପ୍ରାର୍ଥୀ ଏବଂ ଏବିଭିପିର ଏହି ଛାତ୍ର ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଧସ୍ତାଧସ୍ତି । କର୍ତ୍ତୃପକ୍ଷ ଏବଂ କିଛି ଛାତ୍ରଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ତେବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ପରୀକ୍ଷାରେ ମୋବାଇଲ ପ୍ରବେଶ ଉପରେ ପ୍ରତିବନ୍ଧକ ଥିଲେ ମଧ୍ୟ ଏହି ଛାତ୍ରନେତା ହଲ ଭିତରକୁ ମୋବାଇଲ ନେଲେ କିପରି । ନିର୍ବାଚନକୁ ଦୃଷ୍ଟିରେ ରଖି ନିଜର ଅଧିକ ଛାତ୍ରଙ୍କୁ କ୍ୟାମ୍ପସରେ ଦାଖଲ କରିବା ପାଇଁ ଛାତ୍ର ବିଜେଡି ପକ୍ଷରୁ ଜଣେ ନିରୀକ୍ଷକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପରୀକ୍ଷା ହଲରେ ନିୟୋଜିତ କରାଯାଇଥିବା କିଛି ଛାତ୍ର ଅଭିଯୋଗ କରିଛନ୍ତି । ଏପରିକି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଦର୍ଶାଇ ପୁନର୍ବାର ପରୀକ୍ଷା କରିବା ପାଇଁ ମଧ୍ୟ ଦାବି ହୋଇଛିି । ତେବେ ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବା ବେଳେ ଏବେ ଠାରୁ ସରଗରମ ହୋଇଗଲାଣି କ୍ୟାମ୍ପସ । ସୂଚନା ଅନୁଯାୟୀ ଗତ ବର୍ଷ ଗଣ୍ଡଗୋଳ କାରଣରୁ ଉତ୍କଳ ଆଇନ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ ହୋଇଥିଲା ।