କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ । ସରପଂଚ ପ୍ରାର୍ଥୀଙ୍କୁ ଗାଁ ଦାଣ୍ଡରେ ମାଡ ମାରିଲେ ମହିଳା । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବିଜୟନଗର ଗ୍ରାମପଂଚାୟତରେ ଘଟିଛି ଏହି ଘଟଣା । ବିଜୟନଗର ଗାଁର ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ହଳଧର ସାହୁ ଜେରକ୍ସ ଦୋକାନକୁ ଭୋଟର ଲିଷ୍ଟ ଜେରକ୍ସ କରିବାକୁ ଯାଉଥିଲେ । ଦୋକାନ ସାମ୍ନାରେ ହଠାତ୍ ହଳଧରଙ୍କୁ ରୁକ୍ମଣୀ ସାହୁ ନାମକ ଜଣେ ମହିଳା ମାଡ ମାରିଥିଲେ । କିଛି ସମୟ ପରେ ରୁକୁଣୀଙ୍କ ପୁଅ ଅଶୋକ ଓ ଅନ୍ୟ ଜଣେ ସଂପର୍କୀୟ ମହିଳା ପୁଣି ହଳଧରକୁ ପିଟିବାକୁ ଆସିଥିଲେ ।

Advertisment

ଏହାଦେଖି ଗ୍ରାମବାସୀ ଏକଜୁଟ ହୋଇ ସେମାନଙ୍କୁ କାବୁ କରିଥିଲେ । ଗ୍ରାମବାସୀ ଆସୁଥିବା ଦେଖି ଅଶୋକ ଏକ କାରରେ ଫେରାର ହେବାକୁ ଉଦ୍ୟମ କରୁଥିଲା, କିନ୍ତୁ ଗ୍ରାମବାସୀ କାର ସହ ଅଭିଯୁକ୍ତକୁ ଅଟକ ରଖି ପୁଲିସକୁ ଡାକିଥିଲେ । ଖବର ପାଇ ଦେବଗଡ ପୁଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇଛନ୍ତି । ବିଜେପି ସମର୍ଥିତ ପ୍ରାର୍ଥୀ ନିର୍ବାଚନରେ ହାରିବା ନିଶ୍ଚିତ ଜାଣିବା ପରେ ବିଜେପି କର୍ମୀ ଉତ୍ୟକ୍ତ ହୋଇ ଏପରି ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି ।

ସେପଟେ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଷୋଳମପୁର ଗାଁରେ ନିର୍ବାଚନୀ ହିଂସାକାଣ୍ଡ । ବୁଧବାର ରାତିରେ ଗୋଟିଏ ଗୋଷ୍ଠୀର କର୍ମୀ ସଂଘବଦ୍ଧ ହୋଇ ଠେଙ୍ଗା, ଭୁଜାଲି, କଟୁରୀ ଧରି ଅନ୍ୟ ଗୋଷ୍ଠୀ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଜଣକର ଅବସ୍ଥାଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆକ୍ରମଣରେ ଅନେକ ଗାଡି, କମ୍ପ୍ୟୁଟର ଓ ଘର ଭାଙ୍ଗିଯାଇଛି । କାଲି ଭଣ୍ଡାରୀପୋଖରୀ ଅଂଚଳରେ ଭୋଟଦାନ ହେବ । ଏ ନେଇ ଭଣ୍ଡାରୀପୋଖର ପୁଲିସ ତଦନ୍ତ ଆରମ୍ଭ କରିଛି ।