କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ରାଜନୈତିକ ହିଂସାକାଣ୍ଡ । ଚାନ୍ଦବାଲିରେ ଗତ ୧୮ ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ତେବେ ନିର୍ଦ୍ଦିଷ୍ଟ ପ୍ରାର୍ଥୀକୁ ଭୋଟ ଦେଇନଥିବାରୁ ଘଂଟେଶ୍ୱର ଫାଣ୍ଡି ଅନ୍ତର୍ଗତ ଖଦାଳପୋଖରୀ ଗାଁର ୫ ଜଣ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଖଦାଳପୋଖରୀ ଗାଁର ୮ଜଣ ବ୍ୟକ୍ତିଙ୍କୁ ରାଜନୈତିକ ଦୁର୍ବୃତ କୁଦାଳ ବେଂଟ ଓ ପଥରରେ ଆକ୍ରମଣ କରାଯାଇଛି । ସଂପୃକ୍ତ ପ୍ରାର୍ଥୀଙ୍କ ସମର୍ଥକଙ୍କ ଆକ୍ରମଣରେ ଗୁରୁତର ଆହତ ଜିତେନ ନାୟକ ଓ ଭାରତୀ ନାୟକଙ୍କୁ ପ୍ରଥମେ ଭଦ୍ରକ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ସେହିପରି ଅନ୍ୟ ୬ଜଣ ଆହତଙ୍କୁ ତିହିଡି ମେଡିକାଲରେ ଭର୍ତି କରାଯାଇଛି । ଘଂଟେଶ୍ୱର ଫାଣ୍ଡି ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Advertisment

ଅନ୍ୟପଟେ ନବରଙ୍ଗପୁରରେ ମଧ୍ୟ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ଭୋଟ ଗଣତି ପୂର୍ବରୁ ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁରେ ଫୁଟିଛି ଗୁଳି । ଦହଣା ଗାଁର ଅଶ୍ୱିନୀ ଦାଶଙ୍କ ଘରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ । ଘଟଣାସ୍ଥଳରେ ଦୁଇଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ପାଇଛି ପୁଲିସ ।

ଗତକାଲି ସନ୍ଧ୍ୟାରେ ଦହଣା ଗାଁର ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ ଦାଶଙ୍କ ଘରକୁ ୪ରୁ ୫ ଜଣ ଯୁବକ ଆସି ଅଶ୍ୱିନୀଙ୍କୁ ଖୋଜିଥିଲେ । ସେ ଘରେ ନଥିବାରୁ ତାଙ୍କ ପୁଅକୁ ଧମକ ଚମକ ଦେଇ ନିର୍ଦ୍ଦିଷ୍ଟ ପ୍ରାର୍ଥୀକୁ କାହିଁକି ବିରୋଧ କରୁଛ ବୋଲି ଧମକ ଚମକ ଦେଇଥିଲେ । ଏହାପରେ ଅଶ୍ୱିନୀ ଦାଶଙ୍କୁ ଫୋନରେ କଥା ହୋଇ କାହିଁକି ସଂପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରୁଛ ବୋଲି ଧମକ ଦେଇ ଘର ଅଗଣାରେ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାପରେ ସେମାନେ ଅନ୍ଧାରରେ ଖସିଯାଇଥିଲେ । ନନ୍ଦାହାଣ୍ଡି ବ୍ଲକରେ ଗତକାଲି ଭୋଟ ଗ୍ରହଣ ସରିଛି । ତେଣୁ ଜୈନିକ ପ୍ରାର୍ଥୀଙ୍କୁ ବିରୋଧ କରୁଥବାରୁ ଅଶ୍ୱିନୀ ଦାସଙ୍କୁ ଟାର୍ଗେଟ କରାଯାଇଥିବା ଅଂଚଳରେ ଚର୍ଚ୍ଚା ହେଉଛି । ଖବର ପାଇ ତେନ୍ତୁଳିଖୁଂଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।