ଗଞ୍ଜାମରେ ଗାଇଡଲାଇନର ଖୋଲା ଉଲ୍ଲଙ୍ଘନ । ନାମାଙ୍କନ ଦାଖଲ ବେଳେ ଶୋଭାଯାତ୍ରାରେ ସାମିଲ ହେଲେ ଶହ ଶହ ଲୋକ

117

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗାଇଡଲାଇନ ଜାରି କରିଛନ୍ତି । କିନ୍ତୁ ଏହି ଗାଇଡଲାଇନର ଧଜିଆ ଉଡିଛି ଗଞ୍ଜାମରେ । ଗଞ୍ଜାମର ଦୁଇଟି ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ ବେଳେ ଶୋଭାଯାତ୍ରା ବାହାରିଛି । ବାଜା, ବାଣ ଓ ସ୍ଲୋଗାନରେ ଏମିତି ଲାଗୁଛି ଯେମିତି ନିୟମକୁ ଏମାନଙ୍କ ଖାତିର ନାହିଁ । ଏଥିରେ ସାମିଲ କର୍ମୀ, ସମର୍ଥକ ସାମାଜିକ ଦୂରତା ରକ୍ଷା କରିବା ତ ଦୂରର କଥା, ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ବି ନଥିଲା ।

ରାଜ୍ୟ ନିର୍ବାଚନ କମିଶନଙ୍କ ଗାଇଡଲାଇନର କେମିତି ଧଜିଆ ଉଡାଯାଇପାରେ, ବ୍ୟଙ୍ଗ କରାଯାଇପାରେ ତାର ଉଦାହରଣ ଆସିଛି ଗଞ୍ଜାମ ଜିଲ୍ଲାରୁ । ଗୋଟିଏ ଧରାକୋଟର ହୋଇଥିବାବେଳେ ଅନ୍ୟଟି ଆସକା ଖରିଆ ପଞ୍ଚାୟତରୁ । ଧରାକୋଟର ସମିତି ସଭ୍ୟ ପ୍ରାର୍ଥିନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ନିୟମ ଉଲ୍ଲଙ୍ଘନ କରି ହଜାର ହଜାର ସମର୍ଥକଙ୍କୁ ନେଇ, ବାଜା ବାଣ ଫୁଟାଇ ନାମାଙ୍କନ କରିବାକୁ ଯାଇଥିଲେ । ସେହି ସମୟର ଦୃଶ୍ୟ ଦେଖିଲେ ଲାଗୁଥିଲା ଯେମିତି କରୋନାର କୌଣସି ଭୟ ନାହିଁ ।

ସେହିପରି ଆସିକାର ଖରିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଶହ ଶହ ସମର୍ଥକଙ୍କୁ ନେଇ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ବାଜା ବଜାଇ ୫ ଶହରୁ ଅଧିକ କର୍ମୀଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି । ଖରିଆ ଗାଁର କାଳୀ ମନ୍ଦିରଠାରୁ ଏହି ଶୋଭାଯାତ୍ରା ବାହାରି ପଞ୍ଚାୟତ କାର୍ଯ୍ୟାଳୟ ଯାଏଁ ଯାଇଥିଲା । ଏଥିରେ ସାମିଲ କର୍ମୀ, ସମର୍ଥକ ସାମାଜିକ ଦୂରତା ରକ୍ଷା କରିବା ତ ଦୂରର କଥା, ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିଲା ।

ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀଙ୍କ ସହ କେବଳ ଜଣେ ପ୍ରସ୍ତାବକ ଯିବା ପାଇଁ ଅନୁମତି ଦେଇଛନ୍ତି । ହେଲେ ଗଞ୍ଜାମ ଜିଲ୍ଲାରୁ ଆସିଥିବା ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା । ହେଲେ ପ୍ରଶ୍ନ ଉଠୁଛି ପ୍ରାର୍ଥୀମାନେ ଏତେ ବଡ ବଡ ଶୋଭଯାତ୍ରା କରୁଥିବାବେଳେ ସ୍ଥାନୀୟ ପୋଲିସ ଓ ପ୍ରଶାସନ କଣ କରୁଥିଲେ? ନିୟମ ଭାଙ୍ଗିଥିବା ପ୍ରାର୍ଥୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ରାଜ୍ୟ ନିର୍ବାଚନ କମିଶନ ।