କନକ ବ୍ୟୁରୋ : ପୌର ନିର୍ବାଚନରେ ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିବାଦନ ଜଣାଇବା ପାଇଁ ନବୀନ ନିବାସ ଯାଇଥିଲେ ଅଫିସର । ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଦଳ କହିଛି, ଶାସକ ଦଳ ଓ ଅଫିସରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପଦାରେ ପଡିଛି । ଏକ ପ୍ରେସମିଟରେ ରାଜ୍ୟ ସାଧାରଣ ସଂପାଦକ କହିଛନ୍ତି, ପୂର୍ବରୁ ବିଜେପି ଏହା କହୁଥିଲା, ଏବେ ଲୋକ ଦେଖିଲେ ।

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୁଲିସ ଓ ପ୍ରଶାସନିକ ବରିଷ୍ଠ ଅଧିକାରୀ । ପଂଚାୟତ ଓ ପୌର ନିର୍ବାଚନରେ ଶାସକ ଦଳର ବିପୁଳ ସଫଳତା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସରକାରୀ ବାବୁ । ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପୁଲିସ ଡିଜି, ପୁଲିସ କମିସନରଙ୍କ ସମେତ ପୁଲିସ ବିଭାଗର ବଡ଼ ବଡ଼ ଅଧିକାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରଙ୍କ ଏପରି ଶୁଭେଚ୍ଛାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ ।

ପ୍ରେସମିଟ୍ କରି କଡ଼ା ସମାଲୋଚନା କଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଶାସକ ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ଭିତରେ ମଧୁଚନ୍ଦ୍ରିକା ଚାଲିଛି । ପୂର୍ବରୁ ବିରୋଧୀ କରିଆସୁଥିବା ଅଭିଯୋଗର ଏହା ପ୍ରମାଣ ।

ଓଏଏସ ସଂଘ, ଓଏଫଏସ ସଂଘ, ପୁଲିସ ସେବା ସଂଘ ଠାରୁ ଆରମ୍ଭ କରି ପୁଲିସ ଓ ପ୍ରଶାସନର ବିଭିନ୍ନ ସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ଅଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ପାଇଁ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇବାରୁ ଏହାର ଜବାବ ଦେଇଛି ବିଜେଡି । ପ୍ରେସ ରିଲିଜ୍ ଜାରି କରି ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି –

ନିର୍ବାଚନରେ ପରାଜୟ ପରେ ଶସ୍ତା ରାଜନୀତି କରୁଛି ବିଜେପି

ବିଜେପି ଶାସିତ ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଜୟ ଶୁଭେଚ୍ଛା ଜଣାଇଥାନ୍ତି

ପ୍ରସଙ୍ଗ ନଥିବାରୁ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ଏପରି ଅଭିଯୋଗ ଆଣୁଛି ବିଜେପି

ନୂଆ ସରକାର ଆସିଲେ ଅଫିସର ଓ ଅଫିସର ସଂଘ ଏପରି ସୌଜନ୍ୟମୂଳକ ସାକ୍ଷାତ କରିଥାନ୍ତି ଏବଂ ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି । କିନ୍ତୁ ଏଥର ପଂଚାୟତ ଓ ପୌର ବିଜୟ ପରେ ଏହି ଭେଟଘାଟ ଦେଖିବାକୁ ମିଳିଛି ।