ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା । ଖଣ୍ଡପଡ଼ାରେ ଟଙ୍କା ବଂଟାକୁ ନେଇ ବୁଲିଲା ଖଣ୍ଡା, ପିପିଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ୍

174

କନକ ବ୍ୟୁରୋ : ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୬ଟି ଲୋକସଭା ଓ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆନରେ ପଡ଼ିବ ଭୋଟ । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ଅଶାନ୍ତ ହୋଇଛି ସ୍ଥିତି । ଅନୁଗୁଳ ଛେଣ୍ଡିପଦାରେ ବିଜେଡି କର୍ମୀ ଗୋବିନ୍ଦ ପ୍ରଧାନଙ୍କୁ ଖଣ୍ଡା ଓ କଟୁରୀରେ ୪ ଜଣ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଗୋବିନ୍ଦଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଥାନାରେ ଏତଲା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ଆଠଗଡ । ଟଙ୍କା ଓ ମଦ ବଂଟାକୁ ବିରୋଧ କରି ତରଡିଙ୍ଗ ଗାଁ ହରିଜନ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ୫ ଜଣ ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ନୟାଗଡ଼ ଖଣ୍ଡପଡ଼ାରେ ମଧ୍ୟ ହିଂସାକାଣ୍ଡ ଘଟିଛି । ଭଗବାନପୁର ଗାଁ ଦାଣ୍ଡରେ ବୁଲିଛି ଖଣ୍ଡା ଓ ଠେଙ୍ଗା । ବିଜେଡି କର୍ମୀଙ୍କ ଟଙ୍କା ବଂଟାକୁ ବିରୋଧ କରି ଏଭଳି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଭିଡିଓ ଭାଇରାଲ ପରେ ଗାଁରେ ପୁଲିସ ମୁତୟନ ସହ ପ୍ଲାଗମାର୍ଚ୍ଚ କରାଯାଉଛି ।

ପିପିଲିରେ ତୀବ୍ର ହୋଇଛି ରାଜନୈତିକ ହିଂସା । ସହଜପୁର ପଂଚାୟତରେ ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ଦୁଇ ଜଣ କର୍ମୀଙ୍କ ଗୋଡ଼ ଓ ହାତ ଭାଙ୍ଗିଥିବା ଅଭିଯୋଗ । ଏହାର ପ୍ରତିବାଦରେ ଆଜି ଥାନା ଘେରିଥିଲା ବିଜେପି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଘସିପୁରା ଆକ୍ରମଣ ଘଟଣାରେ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପିଏସଓ ଫେରାର ଅଛନ୍ତି । ମାମଲାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ପିଏସଓଙ୍କ ସମ୍ପୃକ୍ତି ଜଣା ପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁଲିସ ଡିଜି ।

ରାତି ପାହିଲେ ଭୋଟ ଦେବ ଓଡ଼ିଶା । ତେବେ ନିର୍ବାଚନ ସମୟରେ ହିଂସାକାଣ୍ଡ ରୋକିବା ପୋଲିସ ପାଇଁ ହୋଇଛି ସବୁଠୁ ବଡ଼ ଚାଲେଞ୍ଜ ।