ଭୁବନେଶ୍ୱରରେ ଭିଣ୍ଟେଜ୍ କାର୍ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ବରମୁଣ୍ଡା ପଡ଼ିଆରେ ଚାଲିଛି ପ୍ରଦର୍ଶନୀ ।

123

କନକ ବ୍ୟୁରୋ: ଭୁବନେଶ୍ୱରରେ ଆୟୋଜିତ ହୋଇଛି ୨ ଦିନିଆ ଭିଣ୍ଟେଜ୍ କାର ପ୍ରଦର୍ଶନୀ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ପୁନରୁଦ୍ଧାର କରାଯାଇଥିବା ୫୨ଟି କ୍ଲାସିକ୍ କାର୍ ପ୍ରଦର୍ଶନ କରାଯାଇଛି । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏପରି ଆୟୋଜନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ ।

ଭୁବନେଶ୍ୱରରେ ଉଦଘାଟିତ ହୋଇଛି ପ୍ରଥମ ଓଡ଼ିଶା କନକର୍ସ ଡି-ଏଲିଗାନ୍ସ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ଭିଣ୍ଟେଜ୍ ଓ କ୍ଲାସିକ୍ କାର ପ୍ରଦର୍ଶିତ କରାଯାଇଛି । ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଏହାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରି କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଭାରତର ବିଭିନ୍ନ ରାଜ୍ୟରୁ ସୁରକ୍ଷିତ ଭାବେ ପୁନରୁଦ୍ଧାର କରାଯାଇଥିବା ୫୨ରୁ ଅଧିକ କାର ପ୍ରଦର୍ଶିତ କରାଯାଇଛି । କାରଗୁଡିକ ମଧ୍ୟରେ ରହିଛି ୧୮୮୬ ମସିହାର ବେଞ୍ଜ ମୋଟରୱାଗନର ପ୍ରତିକୃତି ସହ ରୋଲସ୍ ରଏସ୍, ଫଡ୍ ଭି, ଜଗୁଆର, ବୁଗାଟି, ବ୍ରିଟିଶ କ୍ଲାସିକ୍ ଆଦି ପ୍ରଦର୍ଶିତ ହୋଇଛି । ସ୍ୱାଧୀନତା ପୂର୍ବର ଅନେକ କାର୍ ଏଥିରେ ସ୍ଥାନ ପାଇଛି । ଏପରି କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ । ଏହାର ଆୟୋଜକ ରହିଛନ୍ତି ଧର୍ମାଦିତ୍ୟ ପଟ୍ଟନାୟକ ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଏପରି ପ୍ରଦର୍ଶନୀ । ଏହା ଦୁଇ ଦିନ ଧରି ଚାଲିବ । ଫାଇଭ-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।