ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଗିରଫ, ଜାଣନ୍ତୁ କାରଣ

290

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ବିନୋଦ କାମ୍ବଲିକୁ ମୁମ୍ବାଇ ପୋଲିସ ଗିରଫ କରିଛି । ମୁମ୍ବାଇ ବାନ୍ଦ୍ରା ନିକଟରେ ନିଶାଖାଇ ଗାଡି ଚଳାଉଥିବା ବେଳେ ଏକ କାରକୁ ଧକ୍କା ଦେବା କାରଣୁ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା । ହେଲେ ବିନୋଦ କାମ୍ବଲିଙ୍କୁ ବେଲ ମିଳିଯାଇଛି ।

ସୂଚନା ମୁତାବକ ୫୦ ବର୍ଷିୟ ଏହି ପୂର୍ବତନ କ୍ରିକେଟ ଖେଳାଳୀ ନିଶା ଖାଇ ଗାଡି ଚଳାଉଥିଲେ । ଏନେଇ ଜଣେ ଲୋକ ତାଙ୍କ ବିରୋଧରେ ମୁମ୍ବାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଥିଲା କି କାମ୍ବଲି ମଦ ପିଇ ଗାଡି ଚଳାଉଥିବା ବେଳେ ତାଙ୍କ କାରକୁ ଧକ୍କା ଦେଇଥିଲେ । ଏହି ଅଭିଯୋଗ ପାଇବା ପରେ ବାନ୍ଦ୍ରା ପୋଲିସ କାମ୍ବଲିଙ୍କୁ ଗିରଫ କରିଥିଲା । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଅଭିଯୋଗକାରୀଙ୍କ ଗାଡିକୁ କାମ୍ବଲି ସୋସାଇଟ ଗେଟ ନିକଟରେ ଧକ୍କା ଦେଇଥିଲେ ।

କହିରଖୁ କି ବିନୋଦ କାମ୍ବଲି ଭାରତୀୟ କ୍ରିକେଟ ଟିମ ପାଇଁ ୧୦୭ ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି । ଏଥିରେ ସେ ୨୪୭୭ ରନ କରିଥିଲେ , ଯାହା ମଧ୍ୟରେ ୨ ଟି ଶତକ ଓ ୧୪ ଟି ଅର୍ଦ୍ଧ ଶତକ ରହିଛି । କେବଳ ଏକଦିବସୀୟ ନୁହେଁ କାମ୍ବଲି ଭାରତୀୟ ଟିମ ପାଇଁ ମଧ୍ୟ ୧୭ ଟି ଟେଷ୍ଟ ମ୍ୟାଚ ଖେଳି ୧୦୮୪ ରନ କରିଛନ୍ତି । ଯାହା ମଧ୍ୟରେ ୪ ଟି ଶତକ ସାମିଲ ରହିଛି ।

 

କିଛିଦିନ ପୂର୍ବରୁ ବିନୋଦ କାମ୍ବଲି ସାଇବର ଠକେଇରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଥିଲେ । କେୱାସି ଅପଡେଟ କରାଇବା ବାହାନାରେ ସାଇବର ଠକମାନେ କାମ୍ବଲିଙ୍କ ଆକାଉଣ୍ଟରୁ ୧.୫ ଲକ୍ଷ ଟଙ୍କା ଠକି ନେଇଥିଲେ । ଏହାପରେ କାମ୍ବଲିଙ୍କ ଅଭିଯୋଗ କ୍ରମେ ବାନ୍ଦ୍ରା ପୋଲିସ ଏହି ମାମଲାରେ ହସ୍ତକ୍ଷେପ କରି କାମ୍ବଲୀଙ୍କୁ ଟଙ୍କା ଫେରସ୍ତ ପାଇବାରେ ସହଯୋଗ କରିଥିଲେ ।