କନକ ବ୍ୟୁରୋ: ଅଲିମ୍ପିକ୍ସ ଫାଇନାଲରୁ ଅଯୋଗ୍ୟ ଘୋଷିତ ହେବା ପରେ କୁସ୍ତି କ୍ୟାରିୟରରୁ ବିନେଶଙ୍କ ଅଲବିଦା। ସାମାଜିକ ଗଣମାଧ୍ୟମରେ କଲେ ଭାବ ବିହ୍ୱଳ ପୋଷ୍ଟ, କହିଲେ ‘କୁସ୍ତି ଜିତିଗଲା, ମୁଁ ହାରିଗଲି’, ଭାଙ୍ଗିଗଲା ଦେଶ ବାସୀଙ୍କ ସ୍ୱପ୍ନ ଓ ମୋର ସାହାସ। ଓଜନ ବୃଦ୍ଧି ଲାଗି ପ୍ୟାରିସ ଅଲିମ୍ପିକ୍ସରୁ ବାଦ ପଡ଼ିବା ପରେ ନିଜର ୨୩ ବର୍ଷର କୁସ୍ତି କ୍ୟାରିୟରକୁ ବାଏ ବାଏ କହିଛନ୍ତି ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍। କୁସ୍ତିରୁ ଅବସର ଘୋଷଣା କରିବା ସହ ଦେଶବାସୀ ଓ ନିଜ ମାଙ୍କ ଉଦ୍ଦେଶ୍ୟରେ ଭିନେଶ ଭାବବିହ୍ୱଳ ପୋଷ୍ଟ କରିଛନ୍ତି ।
‘ମା, କୁସ୍ତି ମୋଠାରୁ ଜିତିଗଲା, ମୁଁ ହାରିଗଲି, ମୋତେ କ୍ଷମା କରିବ, ତୁମର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ । ବିଦାୟ କୁସ୍ତି, କ୍ଷମା କରିବେ, ମୁଁ ସମସ୍ତଙ୍କ ପାଖରେ ସର୍ବଦା ଋଣୀ ରହିବି’ ବୋଲି ସେ ନିଜର ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ମାତ୍ର ୧୦୦ ଗ୍ରାମ୍ ପାଇଁ କୁସ୍ତି ତାରକା ବିନେଶ ଫୋଗଟ ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଯାଇଥିଲେ। କିଛି ବୁଝିବା ପୂର୍ବରୁ ହାତମୁଠାରେ ଥିବା ଅଲିମ୍ପିକ୍ସ ପଦକ ଅଚାନକ ଖସିଯାଇଥିଲା। ସାରା ଦେଶରେ ଏଥିନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଅପ୍ରତ୍ୟାଶିତ ଖବରକୁ କେହି ବିଶ୍ୱାସ କରି ପାରୁନାହାନ୍ତି। ଏନେଇ ତଦନ୍ତ କରାଯିବାକୁ ମଧ୍ୟ ଦାବି କରାଯାଉଛି।