କନକ ବ୍ୟୁରୋ : ଭିନେଶଙ୍କ ଆଖି ଭିଜିଯାଇଥିଲା ଏତେ ମାତ୍ରାରେ ଭଲପାଇବା, ସମର୍ଥନ ଦେଖି । ପ୍ୟାରିସ ଅଲିମ୍ପିକ୍ସରେ ପଦକୁ ମିଳିନି ସତ କିନ୍ତୁ ଆଜି ସେ ପାଇଛନ୍ତି ଅସରନ୍ତି ଭଲପାଇବା, ସ୍ନେହ, ସମର୍ଥନ । ବିଦେଶ ମାଟିରେ ଯେବେ କୌଣସି ପ୍ରତିଦ୍ବନ୍ଦୀଙ୍କୁ ହରାଇ ଭାରତୀୟ ଖେଳାଳୀ ସ୍ବଦେଶ ଫେରନ୍ତି ସେମାନଙ୍କୁ ଠିକ ଏମିତି କିଛି ସ୍ବାଗତ ସମ୍ବର୍ନ୍ଧନା ଜଣାଯାଏ । କିନ୍ତୁ ଆଜି ଦୃଶ୍ୟ କିଛି ଭିନ୍ନ ଥିଲା ।ପ୍ୟାରିସରୁ ଦିଲ୍ଳୀ ପହଁଚିବା ପରେ ଦିଲ୍ଲୀ ବିମାନବନ୍ଦରରେ ଢୋଲ ବାଜା ବଜାଯାଇ ରେସଲର ଭିନେଶ ଫୋଗାଟଙ୍କୁ ହିରୋ ପରି ସ୍ବାଗତ ଜଣାଯାଇଛି । ପ୍ରଂଶସକ, ପରିବାର ଓ ସମର୍ଥକଙ୍କ ଏହି ଆତ୍ମୀୟତା ଦେଖି ଭାବବିହ୍ବଳ ହୋଇପଡିଥିଲେ ଭିନେଶ ଓ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Advertisment

ସେପଟେ ହରିଆଣା ଚରକୀ ଦାଦରୀ ଗାଁରେ ମଧ୍ୟ ଖୁସିର ମାହୋଲ । କେଉଁଠି ସ୍ବାଦିଷ୍ଟ ମିଠା ଓ ବ୍ୟଞ୍ଜନ ତିଆରି କରାଯାଇଛି ତ ପୁଣି କେଉଁଠି ଖାପ ପଂଚାୟତରେ ତାଙ୍କୁ ସମ୍ମାନ ଜଣାଯାଇଛି ।ଘର ପରିବାର ସମସ୍ତେ ଭିନେଶଙ୍କ ସ୍ବାଗତରେ ଲାଗିପଡିଥିଲେ ।

୫୦କେଜି ବର୍ଗ ପ୍ରତିଯୋଗିତାର ପ୍ରାରମ୍ଭିକ ପର୍ୟ୍ୟାୟ ଲଢ଼େଇରେ ଭିନେଶଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏପରିକି ବିଶ୍ବବିଜେତାଙ୍କୁ ହରାଇ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ ।ବୋଧହୁଏ ସେଦିନ ଭାଗ୍ୟ ଭିନେଶଙ୍କ ସାଥିରେ ନଥିଲା ।କେବଳ ଶହେଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହେବା ସହ ଫାଇନାଲରେ ଖେଳିପାରିନଥିଲେ ।ଏହା କେବଳ ତାଙ୍କ ଭିନେଶଙ୍କୁ ମନକୁ ଭାଙ୍ଗିନଥିଲା ବଂର ସାରାଦେଶକୁ ଲାଗିଥିଲା ଝଟକା ।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କଠୁ ନେଇ ବରିଷ୍ଠ କ୍ରୀଡ଼ାବିତ,ବ୍ୟକ୍ତିବିଶେଷ ତାଙ୍କ ସପକ୍ଷରେ ଆସି ମନୋବଳ ବଢ଼ାଇଥିଲେ ।