ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କଲେ ଦ୍ରୁତ ବୋଲର ବିନୟ କୁମାର । ଟିମ୍ ଇଣ୍ଡିଆ ପାଇଁ ଖେଳିଥିଲେ ୩୧ ଦିନିକିଆ, ୯ଟି ଟି-୨୦ ମ୍ୟାଚ୍ ।

104

କନକ ବ୍ୟୁରୋ: କ୍ରିକେଟକୁ ବାଏ ବାଏ କହିଲେ ଭାରତୀୟ ଦ୍ରୁତ ବୋଲର ବିନୟ କୁମାର । ଶୁକ୍ରବାର ସେ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିବା ସହିତ କ୍ରିକେଟକୁ ଅଲବିଦା କହିଛନ୍ତି । ୩୭ ବର୍ଷୀୟ ଏହି କ୍ରିକେଟର ୨୦୧୦ ମସିହାରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିଲେ । ଏହାପରେ ସେ ଲଗାତାର କିଛି ବର୍ଷ ପାଇଁ ଦଳରେ ସ୍ଥାନ ପାଇ ଆସୁଥିଲେ । ହେଲେ ଗତ କିଛି ବର୍ଷ ହେଲା ସେ ଦଳରୁ ବାହାରେ ରହିଥିଲେ । ଏବେ ସେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

ଭାରତ ପାଇଁ ଏହି ଖେଳାଳିି ଜଣକ ମେଟ ୩୧ଟି ଦିନିକିଆ ମ୍ୟାଚ୍ ଖେଳି ୩୮ଟି ୱିକେଟ୍ ନେଇଥିଲେ । ବିଶେଷକରି ତାଙ୍କର ସ୍ଲୋ-ବୋଲିଂ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଉଥିଲା । ଟି-୨୦ରେ ମଧ୍ୟ ସେ ୯ଟି ମ୍ୟାଚ୍ ଖେଳି ୧୦ଟି ୱିକେଟ୍ ହାତେଇଥିଲେ । ଟିମ୍ ଇଣ୍ଡିଆ ପାଇଁ ସେ ମାତ୍ର ଗୋଟିଏ ଟେଷ୍ଟ ଖେଳି ଗୋଟିଏ ସଫଳତା ପାଇଥିଲେ ।

ତେବେ ଟିମ୍ ଇଣ୍ଡିଆ ବ୍ୟତୀତ ଘରୋଇ କ୍ରିକେଟରେ ବିନୟ କୁମାର ବେଶ ସଫଳ ହୋଇଥିଲେ । ସେ ତାଙ୍କ କ୍ୟାରିୟରରେ ୧୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ମୋଟ ୫୦୪ଟି ୱିକେଟ୍ ନେଇଥିଲେ । ବିନୟ ବର୍ଷ ୨୦୦୪-୦୫ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିବା ସହିତ ୨୦୦୯-୧୦ ମସିହାରେ ଚର୍ଚ୍ଚାକୁ ଆସିଥିଲେ । ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ ସହ ସେ ତାଙ୍କ କଣ୍ଣାଟକ ଦଳକୁ ୧୧ ବର୍ଷ ପରେ ରଣଜୀ ଟ୍ରଫି ଜିତାଇଥିଲେ ।