ପାଣି ପାଇଁ ରାସ୍ତାରୋକ: ପାଣି ନମିଳିବାରୁ ତାତିଲେ ନବରଙ୍ଗପୁର ଦେଉଳା ବାସିନ୍ଦା

58

କନକ ବ୍ୟୁରୋ: ପାଣି ପାଇଁ ରାସ୍ତାରୋକ । ପାଣି ନମିଳିବାରୁ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ନବରଙ୍ଗପୁର ଜିଲ୍ଲା ଦେଉଳାରେ ପିଇବା ପାଣି ଅଭାବକୁ ନେଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ବିକ୍ଷୋଭକାରୀ ରାସ୍ତାରେ ହାଣ୍ଡି, ଗରା, ଡେକଚି ରଖି ଅବରୋଧ କରିବା ସହିତ ପ୍ରତିବାଦ କରିଛନ୍ତି । ଫଳରେ ସେହି ରାସ୍ତା ଦେଇ ନବରଙ୍ଗପୁର ଠାରୁ କୋଷଗୁମୁଡା ବ୍ଲକକୁ ଯିବା ଆସିବାରେ ସମସ୍ୟା ଉପୁଜିଛି । ଗାଁରେ ପ୍ରାୟ ୯ ଶହରୁ ଅଧିକ ଲୋକ ରହୁଥିବା ବେଳେ ମାତ୍ର ୨ଟି ନଳକୂଅ ରହିଛି । ଯେଉଁଥିରୁ ପାଣି ସଠିକ୍ ଭାବେ ମିଳେନି । ଯେଉଁ ମୁନ୍ଦାଏ ଦୂଷିତ ପାଣି ମିଳୁଛି ସେଠାରେ ବି ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି । ଗାଁରେ ପାନୀୟ ଜଳ ପ୍ରକଳ୍ପ ଥାଇ ବି କାମରେ ଆସୁନି । ଦୀର୍ଘ ମାସେ ହେବ ଅଚଳ ହୋଇଥିଲା ମରାମତି କରି ଆଣିବା ପରେ ମଧ୍ୟ ଗତ ତିନି ଦିନ ଧରି ତାହା ଖରାପ ହୋଇ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ପାଣି ସମସ୍ୟା ନେଇ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହେଲେ କୌଣସି ସମାଧାନ ନହେବାରୁ ବାଧ୍ୟ ହୋଇ ରାସ୍ତା ଉପରେ ହାଣ୍ଡି , ଗରା, ଡେକଚି ରଖି ପ୍ରତିବାଦ କରିଛନ୍ତି । ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ଯାଏଁ ରାସ୍ତାରୋକରୁ ହଟିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।