ପୁଣି ବିସ୍ଥାପିତ ହେବେ ହୀରାକୁଦ ନଦୀବନ୍ଧ ପାଇଁ ଭିଟାମାଟି ଛାଡିଥିବା ଗ୍ରାମବାସୀ: ୩ଟି ଗାଁକୁ ବିସ୍ଥାପନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ

126

କନକ ବ୍ୟୁରୋ: ସତୁରୀ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବାସଚ୍ୟୁତ ହେବାକୁ ଯାଉଛନ୍ତି ବରଗଡ଼ ଜିଲ୍ଳାର ହୀରାକୁଦ ବିସ୍ଥାପିତ ୩ଟି ଗ୍ରାମବାସୀ । ଅମ୍ବାଭନା ବ୍ଳକ ଅନ୍ତର୍ଗତ ଡେବ୍ରିଗଡ ଅଭୟାରଣ୍ୟ ମଧ୍ୟରେ ଥିବା କୁରୁମକେଲ, ରେଙ୍ଗାଲି ଓ ଭୁତଲି ଗାଁର ୪୧୦ ପରିବାର ଭିଟା ମାଟିରୁ ବିତାଡିତ ହେବେ । ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ଼େବ୍ରିଗଡ଼ ଜଙ୍ଗଲକୁ ଅଭୟାରଣ୍ୟ ଏବଂ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରାଯିବା ପରେ ଗ୍ରାମବାସୀଙ୍କୁ ସ୍ଥନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଳା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ତିନୋଟି ଗାଁର ଲୋକଙ୍କୁ ନେଇ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।

ବାସଚ୍ୟୁତ ହେବେ ବରଗଡ଼ ଜିଲ୍ଲା ଆମ୍ବାଭୋନା ବ୍ଳକ ଅନ୍ତର୍ଗତ ଡେବ୍ରିିଗଡ଼ ଅଭୟାରଣ୍ୟ ଭିତରେ ରହୁଥିବା ଗ୍ରାମବାସୀ । ହୀରାକୁଦ ନଦୀବନ୍ଧ ନିର୍ମାଣ ବେଳେ ଏମାନେ ଭିଟାମାଟି ହରାଇ ଡେବ୍ରିିଗଡ଼ ଜଙ୍ଗଲ ଭିତରେ ଆଶ୍ରୟ ନେଇଥିଲେ । ଆଉ ଏବେ ଡ଼େବ୍ରିଗଡ଼ ଜଙ୍ଗଲକୁ ଅଭୟାରଣ୍ୟ ଏବଂ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରାଯିବା ପରେ ଅଭୟାରଣ୍ୟ ମଧ୍ୟରେ ଥିବା କୁରୁମକେଲ, ରେଙ୍ଗାଲି ଓ ଭୁତୁଲି ବିସ୍ଥାପିତ କରିବା ପାଇଁ ଜନଶୁଣାଣି ହୋଇଛି । ଗ୍ରାମବାସୀଙ୍କୁ ସ୍ଥନାନ୍ତର କରିବା ପାଇଁ ବନବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ହେଲେ ଉପଯୁକ୍ତ କ୍ଷତିପୂରଣ ନମିଳିବା ଯାଏଁ ଲୋକେ ଗାଁ ଛାଡିବେ ନାହିଁ ବୋଲି କହିଛନ୍ତି ।

ଜିଲ୍ଳା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ତିନୋଟି ଗାଁର ଲୋକଙ୍କୁ ନେଇ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀ ହୀରାକୁଦ ଜଳଭଣ୍ଡାରରେ ମାଛମାରି ଜୀବିକା ନିର୍ବାହ କରିଥାନ୍ତି । ସରକାରଙ୍କ ପୁନର୍ବାସ ଯୋଜନାରେ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ପ୍ରତି ପରିବାରକୁ ଘରଡିହ ସାଙ୍ଗକୁ ପକ୍କା ଘର ଏବଂ ୧୫ ଲକ୍ଷ ଟଙ୍କା ସହାୟତା ଦିଆଯିବ । ଗାଁରେ ବିଦ୍ୟୁତ ସଂଯୋଗ, ଅଙ୍ଗନୱାଡି ଗୃହ, ଗୋଷ୍ଠୀ ଗୃହ, ପିଇବା ପାଣିର ବ୍ୟବସ୍ଥା କରାଯିବ । ବିସ୍ଥାପିତ ହେବାକୁ ଥିବା ପରିବାର ଚିହ୍ନଟ ପାଇଁ ଏକ ସବ କମିଟି ଗଠନ କରାଯାଇଛି ।

ସ୍ୱାଧିନତାର ୭୫ ବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି କ୍ଷେତ୍ରରେ ଉପେକ୍ଷିତ ହୋଇଥିବା ଗ୍ରାମବାସୀ ମୁଖ୍ୟସ୍ରୋତରେ ସାମିଲ ହେବାକୁ ନେଇ ଯେତିକି ଖୁସି, ପୁଣି ଥରେ ବିସ୍ଥାପନ ହେବାର ଦୁଃଖରେ ସେତିକି ଦୁଃଖିତ । ତେଣୁ ସ୍ଥାନାନ୍ତର ହେବା ପରେ ସେମାନଙ୍କ ଜୀବନ ଓ ଜୀବିକା ସୁରକ୍ଷିତ କରିବା ଦିଗରେ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।