ଜଳ ଯନ୍ତ୍ରଣାର ବିକଳ ଚିତ୍ର । ନଈ କୂଳରେ ଶୋଷିଲା ଗାଁ । ନଇପଠାରେ ମହିଳାଙ୍କ ମାର୍ଚ୍ଚ ।

195

କନକ ବ୍ୟୁରୋ: ଜଳ ଯନ୍ତ୍ରଣାର ବିକଳ ଚିତ୍ର । ନଈ କୂଳରେ ଶୋଷିଲା ଗାଁ । ନଇପଠାରେ ମହିଳାଙ୍କ ମାର୍ଚ୍ଚ । ପରିବାର ତୃଷ୍ଣା ମେଂଟାଇବା ପାଇଁ କଂସା କଂସା କରି ଗରା ଭରି ପାଣି ବୋହୁଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଦନ୍ତୀ ନଦୀ କୁଳରେ ଥିବା ଗାଁର ମହିଳା । ଗାଁରେ ନଳକୂଅର ଅଭାବ ଥିବାରୁ ବର୍ଷ ତମାମ୍ ନଦୀ ଉପରେ ନିର୍ଭର କରିଥାନ୍ତି ଗ୍ରାମବାସୀ ।

ଚଳ ଚଳ କରି ଗରା ଭରୁଛନ୍ତି ମହିଳା । ନଦୀ ପଠାରେ ବାଲିଚୂଆ କରି ପିଇବା ପାଣି ସଂଗ୍ରହ କରୁଛନ୍ତି ଏମାନେ । ନଦୀର ଠାଏ ଠାଏ ଥିବା ପାଣିରେ ଗାଧୁଆ ପାଧୁଆ ସାରିବା ପରେ ପ୍ରତିଦିନ ବାଲିଚୂଆ ପାଖରେ ଲାଗେ ମହିଳାଙ୍କ ଭିଡ । ଏ ଦୃଶ୍ୟ ହେଉଛି, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଉଦନ୍ତୀ ନଦୀପଠାର । ନଈଳୂଳରେ ଥିବା ଲେତେର, ମକରାଗୁଡା, ମହାଲିଙ୍ଗ, ତୁରେଛଡା, କେଗାଁ, ସିନାପାଲି ଓ ଭାଟିପଡା ଗାଁରେ ଆବଶ୍ୟକ ନଳକୂପ ନଥିବା ବେଳେ ପାଇପ ପାଣି ଯୋଗାଣ ହେଉନାହିଁ । ତେଣୁ ଗାଁଠାରୁ ୨ କିଲୋମିଟର ଦୂରରେ ଥିବା ନଦୀକୁ ମହିଳା ମାନେ ବାଲିଚୁଆ କରି ପାଣି ସଂଗ୍ରହ କରିଥାନ୍ତି । କେବଳ ଖରା ଦିନେ ନୁହେଁ ଅନ୍ୟ ଦିନମାନକରେ ମଧ୍ୟ ଏଠାକାର ମଣିଷ ନଦୀ ଜଳ ଉପରେ ନିର୍ଭର କରିଥାନ୍ତି ।

ଗାଁ ପାଖରେ ନଇ ଥାଇ ବି ଜଳ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀମାନେ ଗଣମାଧ୍ୟମ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ । ସେପଟେ ବିଜେଡି ମୂଖପାତ୍ର ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏ ସବୁ ଅଂଚଳ ପରିଦର୍ଶନ କରିବା ସହ ଜଳ ସଂକଟର ତୁରନ୍ତ ପ୍ରତିକାର କରାଯିବ ବୋଲି କହିଛନ୍ତି ।