ନଈରୁ ଉଦ୍ଧାର ହେଲେ ମାଆ-ପୁଅ : ନଦୀ ପାର ହେବା ବେଳେ ଫସି ଯାଇଥିଲେ; ରଶି ସାହାଯ୍ୟରେ ଉଦ୍ଧାର କଲେ ସ୍ଥାନୀୟ ଯୁବକ

121

କନକ ବ୍ୟୁରୋ : ଭରା ନଈରୁ ଉଦ୍ଧାର ହେଲେ ମା’ ଓ ପୁଅ । ନଦୀ ମଝିରେ ୩ ଘଣ୍ଟା ଧରି ଫସି ରହିଥିଲେ ମା’ ଓ ପୁଅ । ଏଭଳି ଘଟଣାରେ ଘଟିଛି ରାୟଗଡ଼ା ସଦର ବ୍ଳକର ପୁଞ୍ଜାପାଇ ଗାଁରେ । ଗତ ରବିବାର ଦିନ ପୁଞ୍ଜାପାଇ ଗାଁର ନନ୍ଦିନୀ କାଡ୍ରାକା ଓ ତାଙ୍କର ୩ବର୍ଷର ପୁଅକୁ ଧରି ନଦୀ ଆରପଟ ଜଙ୍ଗଲକୁ ଯାଇଥିଲେ । ସେଠାରୁ ନଦୀପାର ହୋଇ ଫେରିବା ବେଳେ ହଠାତ ଉପର ମୁଣ୍ଡରୁ ବନ୍ୟା ପାଣି ମାଡ଼ି ଆସି ନଦୀର ଜଳସ୍ତର ବଢ଼ିଯାଇଥିଲା ।

ଆଉ ନଦୀ ମଝିରେ ଫସି ରହଥିଲେ ମା’ ଓ ପୁଅ । ନଦୀ ପାଣି ଉଭୟଙ୍କୁ ଭସାଇ ନେଇ ଯାଉଥିଲା । ସୌଭାଗ୍ୟବଶତଃ ନଦୀ ମଝିରେ ଥିବା ଏକ ବୁଦାକୁ ଧରି ଚିତ୍କାର କରିଥିଲେ ମହିଳା ଜଣକ । ଚିତ୍କାର ଶୁଣି ଗାଁର କିଛି ଯୁବକ ଦୌଡ଼ି ଆସି ଏକ ରାଶି ସାହାଯ୍ୟରେ ମା ଓ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା । ତେବେ ନଦୀ ମଝିରୁ ମା ଓ ଶିଶୁକୁ ଉଦ୍ଧାର କରି ୨ଟି ଜୀବନ ବଞ୍ଚାଇଛନ୍ତି ଯୁବକ । ଯୁବକମାନଙ୍କ ଏଭଳି ସାହାସିକତା ଯୋଗୁଁ ଦୁଇଟି ଜୀବନ ମୃତ୍ୟୁ ମୁଖରୁ ବଞ୍ଚି ପାରିଛି ।