କନକ ବ୍ୟୁରୋ : "ଗାଁକୁ ରାସ୍ତା ନାହିଁ। ରୋଗୀ ଓ ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି। ଗାଁରେ ଥିବା ଏକମାତ୍ର ସ୍କୁଲ ବନ୍ଦ କରିଦିଆଗଲା। କିଛି ପିଲା ହଷ୍ଟେଲ ପଳେଇଲେ, ଆଉ କିଛି ପାଠରେ ଡୋରି ବାନ୍ଧିଲେ। ପିଢ଼ି ପରେ ପିଢ଼ି ନିର୍ବାଚନ ବେଳେ ନେତା ଆସି ପ୍ରତିଶ୍ରୁତି ଦେଇ ଯାଉଛନ୍ତି, ଭୋଟ ସରିଗଲେ ଆଉ ଦର୍ଶନ ଦେଉନାହାଁନ୍ତି। ରାସନ କାର୍ଡ, ଆଧାର କାର୍ଡ, ବିଜୁଳି ବିଲ ବ୍ଲକ ଅଫିସରେ ଜମା ନେଇ ଆମକୁ ମୁକ୍ତି ଦିଆଯାଉ। ଆମେ ଝାଡ଼ଖଣ୍ଡ ଚାଲିଯିବୁ।" ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଝାଡ଼ଖଣ୍ଡ ସୀମାକୁ ଲାଗି ରହିଥିବା ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ, ମଝାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଚାକନା ଗ୍ରାମବାସୀ ।

Advertisment

ରଚାକନା ଗାଁରେ ରହୁଛନ୍ତି ୫ଶହ ପରିବାର । ପୁରା ଗାଁରେ ପକ୍କା ରାସ୍ତା ତ ଦୂରର କଥା, ମୋରମ ରାସ୍ତାଟିଏ ବି ନାହିଁ । ବିଲ ଓ ନାଳ ଦେଇ ୩ ଫୁଟର ଅଣଓସାରିଆ ପାଦଚଲା ରାସ୍ତା ଗାଁକୁ ଯାଇଛି। ଦଶନ୍ଧି ଦଶନ୍ଧି ଧରି ପାହାଡ଼ ଓ ନଦୀ ଘେର ଭିତରରେ ରହି ଗ୍ରାମବାସୀ ଏକପ୍ରକାର ବନ୍ଦୀ ଜୀବନ ବିତାଇ ଆସୁଛନ୍ତି।

ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳିତ ହୋଇ ରହିଛନ୍ତି ଗ୍ରାମବାସୀ। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ଅକାଳରେ ପ୍ରାଣ ହରାଉଛନ୍ତି ରୋଗୀ ଓ ଗର୍ଭବତୀ। ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଯେତେ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।