କନକ ବ୍ୟୁରୋ: ନଦୀରୁ ବାଲି ଉଠେଇବା ନାଁରେ ପଠାରୁ ମାଟି ତାଡିନେଉଛନ୍ତି ଲିଜଧାରୀ । ନଦୀ ବନ୍ଧକୁ ବି ଦୁର୍ବଳ କରିଦେଉଛନ୍ତି । ଶ୍ମଶାନ ଓ ପିଲାଙ୍କ ଖେଳପଡିଆକୁ ବି ତାଢ଼ି ଦେଲେଣି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଓ ମାଇନିଂ ଅଧିକାରୀ ଶୁଣିଲେ ନାହିଁ । ତେଣୁ ଗ୍ରାମବାସୀ ଏକଜୁଟ ହୋଇ ଚରମ ନିଷ୍ପତି ନେଉଛନ୍ତି ।

ଏ ହେଉଛି ପୁଞ୍ଜିଭୂତ ଅସନ୍ତୋଷର ନିଆଁ । ନିଜ ଅଂଚଳର ସୁରକ୍ଷା ପାଇଁ ଗ୍ରାମବାସୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ପୂର୍ବରୁ ନଦୀ ପଠାରୁ ବେଆଇନ୍ ଖନନକୁ ବିରୋଧ କରିବାରୁ ପୋଲିସ ମାମଲା ରୁଜୁ କରିଥିଲା । ଧମକ ଚମକ ଦେଇ ବାଲିଘାଟ ଚଳାଉଥିଲେ । ହେଲେ ଏଥର ସେ ଭୟ ନାହିଁ । ସରକାର ବଦଳିବା ପରେ ସ୍ଥାନୀୟ ଲୋକ ଏକଜୁଟ ହୋଇ ବାଲିଘାଟକୁ ବିରୋଧ କରିବା ସହ ବାଲି ଉଠାଣକୁ ବନ୍ଦ କରିଛନ୍ତି । ନଦୀବନ୍ଧ ଓ ଖେଳପଡିଆକୁ ଦୃଷ୍ଟିରେ ରଖି ପାଳଦା ବାଲିଘାଟକୁ ସମ୍ପୂର୍ଣ ବନ୍ଦ କରିବାକୁ ଦାବି କରିଛନ୍ତି ।

ନିଲାମଧାରୀ ନଦୀରୁ ବାଲି ସହ ପଠାରୁ ମାଟି ତାଡ଼ି ନଦୀ ବନ୍ଧକୁ ଦୁର୍ବଳ କରୁଥିବା ଅଭିଯୋଗ ହୋଇଛି । ବନ୍ଧ କଡ଼ରୁ ମାଟି ଖୋଳାଯିବାରୁ ଦୁର୍ବଳ ନଦୀ ବନ୍ଧରେ ଘାଇ ହୋଇ ଗାଁରେ ପାଣି ପଶିବାର ଆଶଙ୍କା କରିଛନ୍ତି । ସବୁଠାରୁ ବଡ଼ କଥା ହେଲା, ସରକାରୀ ଅନୁମତି ଠାରୁ ଢେର ଅଧିକ ପ୍ରାୟ ୨୦ରୁ ୩୦ ଫୁଟ ଖୋଳି ବାଲି ଉଠାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଲୋକଙ୍କ ଅସନ୍ତୋଷ ରାସ୍ତାରେ ଦେଖିବାକୁ ମିଳିଥିବା ବେଳେ ପ୍ରଶାସନ କେବେ ଦୃଷ୍ଟି ଦେଇ ସମାଧାନ କରୁଛି ତାକୁ ହିଁ ଅପେକ୍ଷା ।