ଉଚ୍ଛେଦକୁ ଗ୍ରାମବାସୀଙ୍କ ଜୋରଦାର ବିରୋଧ: ବେଆଇନ୍ ଦୋକାନ ଘର ଉଚ୍ଛେଦ ବେଳେ ଉତେଜନା

106

କନକ ବ୍ୟୁରୋ: ବେଆଇନ୍ ଜବରଦଖଲ ଉଚ୍ଛେଦ ବେଳେ ଉତେଜନା । ଦୋକାନ ଉଚ୍ଛେଦକୁ ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି । ପ୍ରଶାସନ ବୁଲଡୋଜର ନେଇ ଦୋକାନ ଭାଙ୍ଗିବାକୁ ଯିବା ବେଳେ ମହିଳାମାନେ ଅଟକାଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନାକେଦମ୍ ହେବାକୁ ପଡିଛି । ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଗୟାବନ୍ଧ ଛକରେ ବେଆଇନ୍ ଦୋକାନ ଘର ଉଚ୍ଛେଦ ବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ମହିଳାମାନେ ଦୋକାନ ଆଗରେ ବସି ରହିଥିଲେ ।

କିଛି ମହିଳା ଦୋକାନ ଛାତ ଉପରକୁ ଚାଲିଯାଇଥିଲେ । ସେମାନଙ୍କୁ ଘଟଣାସ୍ଥଳରୁ ହଟେଇବା ପାଇଁ ମହିଳା ପୁଲିସ ନାକେଦମ୍ ହୋଇଥିଲେ । ପୁଲିସ-ସ୍ଥାନୟ ଜନତା ମୁହାଁମୁହିଁ ହୋଇଥିଲେ । ୧୬ ନମ୍ବର ଜାତୀୟ ରାଜପଥ କଡରେ ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥ ପ୍ରଶସ୍ତିକରଣ ଚାଲୁଥିବା ବେଳେ ସରକାରୀ ଜମିରେ ଥିବା ୮ଟି ବେଆଇନ୍ ଦୋକାନ ଘରକୁ ଉଚ୍ଛେଦ କରିବାକୁ ପଡିଛି । ଏହି ଘରଗୁଡିକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ସୂଚନା ଦିଆଯାଇଥିଲା । ତଥାପି ସ୍ଥାନୀୟ ଲୋକେ ଏହାକୁ ମାନୁ ନାହାନ୍ତି । ତେଣୁ ପୁଲିସ ଉପସ୍ଥିତିରେ ଆଜି ଦୋକାନ ଭଙ୍ଗା ଯାଇଛି ।